ପାଳଙ୍ଗରୁ ଆରମ୍ଭ ହେଲା ବିଜେଡିର ନିର୍ବାଚନୀ ସଭା

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଆସନ୍ତା ମେ’ ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ରଣନୀତି ଆରମ୍ଭ ହେଲାଣି। ବିଭିନ୍ନ ରାଜନୈତିକ ଦଳଠାରୁ ଶାସକ ଦଳ ଆଗୁଆ ଥିବା ଜଣାପଡ଼ିଛି। ବିଜେଡି ପ୍ରଥମ ଦଳ ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଲକ ପାଲଙ୍ଗ ପଞ୍ଚାୟତରୁ ଆରମ୍ଭ କରିଛି ନିର୍ବାଚନୀ ସଭା। ଏଥିସହ ଘରକୁ ଘର ବୁଲି ପ୍ରଚାର ମଧ୍ୟ ଆରମ୍ଭ ହୋଇଛି। ପାଲଙ୍ଗ ପଞ୍ଚାୟତରୁ ବହୁ ବିଜୁ କର୍ମୀକୁ ନେଇ ଗଞ୍ଜାମ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ନିର୍ବାଚନରେ ଛତ୍ରପୁରର ବିଜେଡି ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେଇ ବିପୁଳ ଭୋଟ୍‌ରେ ବିଜୟୀ କରିବାକୁ ଉପସ୍ଥିତ କର୍ମୀଙ୍କୁ ଆହ୍ବାନ ଦିଆଯାଇଥିଲା। ଗତଥର ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ଦୁଇ ଗୁଣା ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ କରିବା ସହ ମୁଖ୍ୟମନ୍ତ୍ରୀ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ କର୍ମୀଙ୍କୁ ପର୍ଯ୍ୟବେକ୍ଷକ ନାରାୟଣ ଜେନା ଆହ୍ବାନ ଦେଇଛନ୍ତି। ବିଧାୟକ ସୁବାସ ବେହେରା ଜଣେ ଉତ୍ତମ ଚରିତ୍ର ବ୍ୟକ୍ତି ସେଥିପାଇଁ ଦଳ ସୁପ୍ରିମୋ ତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରି ଦ୍ୱିତୀୟ ଥର ପାଇଁ ବିଧାୟକ ଟିକେଟ୍‌ ପ୍ରଦାନ କରିଛନ୍ତି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଦଳୀୟ ନେତା ଓ କର୍ମୀ। ବିଧାୟକ ବେହେରା ତାଙ୍କ ୫ ବର୍ଷ ସମୟ ମଧ୍ୟରେ ଦୁର୍ନୀତିକୁ ପ୍ରଶୟ ଦେଇନାହାନ୍ତି କିମ୍ବା କୌଣସି ରାଜନୈତିକ ହିଂସା ହୋଇନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ଭଳି ପ୍ରାର୍ଥୀଙ୍କୁ ପୁଣି ବିଜୟୀ କରିବାକୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ଉପରେ ଆଲୋକପାତ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ବିଧାୟକ ବେହେରା ଆହ୍ବାନ ଦେଇଥିଲେ। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲା ପରିଷଦ ସଭ୍ୟ ସନାତନ ବେହେରା, ଛତ୍ରପୁର ଏନ୍‌ଏସି ଉପାଧ୍ୟାକ୍ଷ ଜି ପାପା ରାଓ, ପୂର୍ବତନ ସମିତି ମେମ୍ବର କୈଳାସ ସ୍ବାଇଁ, ସରପଞ୍ଚ ପ୍ରତିନିଧି ସୁଦାମ ବେହେରାଙ୍କ ସମେତ ରମ୍ଭା ଅଞ୍ଚଳର ନେତା କର୍ମୀ ଉପସ୍ଥିତ ଥିଲେ।