ବାପାଙ୍କୁ ଛୁରି ଭୁସି ହତ୍ୟା କଲା ବଡପୁଅ

ଖୁଣ୍ଟୁଣୀ,୧୨ା୭(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମୁଷୁଳିଆ ଗ୍ରାମ ମୁଣ୍ଡାସାହିର ନାଥ ପୂର୍ତ୍ତିଙ୍କୁ ଶନିବାର ରାତି ପ୍ରାୟ ୧୦ଟାରେ ତାଙ୍କ ବଡ଼ପୁଅ ଛୁରି ଭୁସି ହତ୍ୟା କରିଛନ୍ତି।
ଏଥିସହିତ ସାନଭାଇ ଯୋଗେଶ୍ୱର ପୂର୍ତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ରବିବାର ଏକ ହତ୍ୟା ମାମଲା (ନଂ.୯୨/୨୦)ରୁଜୁକରି ଅଭିଯୁକ୍ତ ବଡ଼ପୁଅ ମନୋଜ ପୂର୍ତ୍ତିଙ୍କୁ ଗିରଫ କରିଛି।
ପ୍ରକାଶ ଯେ, ପାଠପଢ଼ା ପାଇଁ ଜମିର ପଟ୍ଟା ଆବଶ୍ୟକ ଥିବାରୁ ମନୋଜ ତାଙ୍କ ବାପା ନାଥଙ୍କୁ ଜଣାଇଥିଲେ। ମଝିଆ ଓ ସାନ ପୁଅଙ୍କୁ ପଚାରି ପଟ୍ଟା ଦେବେ ବୋଲି ତାଙ୍କ ବାପା କହିଥିଲେ। ଏଥିରେ ମନୋଜ ରାଗିଯାଇ ଦାଣ୍ଡରେ ତାଙ୍କ ବାପା ଓ ସାନଭାଇଙ୍କୁ ଗାଳିଗୁଲଜ କରିଥିଲେ। ଘଟଣା ସମ୍ପର୍କରେ ତାଙ୍କ ବାପା ଓ ସାନଭାଇ ଗ୍ରାମର ମୁରବିଙ୍କୁ ଜଣାଇ ରାତି ପ୍ରାୟ ୧୦ଟାରେ ଘରକୁ ଫେରୁଥିଲେ। ଏହି ସମୟରେ ପୂର୍ବରୁ ଲୁଚି ରହିଥିବା ବଡ଼ ପୁଅ ମନୋଜ ହଠାତ୍‌ ଏକ ଛୁରିରେ ତାଙ୍କ ବାପାଙ୍କ ପେଟକୁ ଭୁସି ଦେଇଥିଲେ। ସାନଭାଇ ଯୋଗେଶ ଏହାର ପ୍ରତିବାଦ କରିବାରୁ ମନୋଜ ମଧ୍ୟ ତାଙ୍କ ପେଟକୁ ଛୁରିରେ ଭୁସିଥିଲେ। ଘଟଣାସ୍ଥଳରେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଖୁଣ୍ଟୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୋଗେଶ୍ୱରଙ୍କୁ ଏକ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନା ପଠାଇଥିଲା। ରବିବାର ସକାଳେ ଚୌଦ୍ୱାର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ଥାନା ଅଧିକାରୀ ସୁଚିତ୍ର ବିର୍ଯ୍ୟ ଦାସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହା ପରେ ଅଭିଯୁକ୍ତ ମନୋଜଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ନ ଥିବା ଜଣାପଡ଼ିଛି।