ସାନପୁଅ ପାଇଁ ବାଇକ୍‌ କିଣିଦେବାରୁ ସମ୍ପର୍କ ଭୁଲିଗଲେ ବଡ଼ପୁଅ

ଢେଙ୍କାନାଳ ଅଫିସ, ୯।୨: ସମ୍ପତ୍ତି ଲୋଭ ପାଇଁ ପର ହୋଇଗଲା ରକ୍ତସମ୍ପର୍କ। ସାନପୁଅ ପାଇଁ ଦାମୀ ବାଇକ୍‌ କିଣିଦେବାରୁ ଇର୍ଷାପରାୟଣ ହୋଇ ବ୍ଲେଡ୍‌ରେ ୭୦ ବର୍ଷୀୟ ବୃଦ୍ଧ ବାପାଙ୍କ ତଣ୍ଟି କାଟିଦେଲେ ବଡ଼ପୁଅ। ଏହା ପରେ ପଥରରେ ମୁଣ୍ଡକୁ ଛେଚି ଅତି ନିର୍ମମ ଭାବେ ହତ୍ୟା କଲେ। ମାମଲା ରଫାଦଫା କରିବାକୁ ସମ୍ପର୍କୀୟଙ୍କ ସହ ମିଶି ମୃତଦେହକୁ ପୋଡ଼ିଦେବାକୁ ଯୋଜନା କରୁଥିବାବେଳେ ସୂଚନା ପାଇ ଅଭିଯୁକ୍ତଙ୍କୁ ମାଡ଼ିବସିଲା ପୋଲିସ। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ ତ୍ରିଲୋଚନ ପଧାନ। ମୃତକଙ୍କ ସାନପୁଅ ଦୀପକ ପଧାନଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବଡ଼ଭାଇ ପ୍ରକାଶ ପଧାନ ଏବଂ ଦାଦା ବୀର ପଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଢେଙ୍କାନାଳ ସହର ଉପକଣ୍ଠ ୨୩ନଂ. ଓ୍ବାର୍ଡ ଅଧୀନ କୋରିଅଁା କାଳୀସାହିରେ ଘଟିଥିବା ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ସାରା ଜିଲାରେ ଚର୍ଚ୍ଚା ଜୋର୍‌ ଧରିଛି।
ଟାଉନ ଥାନା ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପ୍ରାୟ ଦେଢ଼ମାସ ତଳେ ତ୍ରିଲୋଚନ ଏକ ଜମିକୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରିଥିଲେ। ଉକ୍ତ ଟଙ୍କାରେ ସାନପୁଅ ଦୀପକ ପାଇଁ ଏକ ଦାମୀ ବାଇକ୍‌ କିଣି ଦେଇଥିଲେ। ଅବଶିଷ୍ଟ ଟଙ୍କା ମଧ୍ୟ ତାଙ୍କୁ ଦେଇଥିଲେ। ଏହାକୁ ନେଇ ପ୍ରକାଶ ଏବଂ ତ୍ରିଲୋଚନଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ସୋମବାର ରାତିରେ ଘରେ କେହି ନ ଥିବାବେଳେ ଉଭୟଙ୍କ ଭିତରେ ଗଣ୍ଡଗୋଳ ତୀବ୍ର ରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରକାଶ ଏକ ବ୍ଲେଡ୍‌ରେ ବାପାଙ୍କ ତଣ୍ଟିକୁ କାଟି ଦେଇଥିଲେ। ଅଚେତ ହୋଇ ପଡ଼ିଯିବା ପରେ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଘଟଣାସ୍ଥଳରେ ହିଁ ତ୍ରିଲୋଚନଙ୍କ ମୃତ୍ୟୁ ହୋଇଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ମୃତଦେହକୁ ଲୁଚାଇ ପୋଡ଼ିଦେବା ପାଇଁ ନେଉଥିବା ବେଳେ ସୂଚନା ପାଇ ସଦର ଏସ୍‌ଡିପିଓ ବିକାଶ ବେଉରାଙ୍କ ନେତୃତ୍ୱରେ ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ, ସୌଭାଗ୍ୟ ପାଣି ପ୍ରମୁଖ ଚଢ଼ାଉ କରି ପଥରଖାଇଚାଠାରୁ ଜବତ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଦୀପକଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୭୧/୨୨ରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ପ୍ରକାଶ ଏବଂ ବୀରଙ୍କୁ ଅଟକ ରଖି ତଦନ୍ତ କରାଯାଉଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।