କଳାହାଣ୍ଡିରେ ଅଘଟଣ: ସାନ ଭାଇଙ୍କ ସହଯୋଗରେ ବଡ଼ ଭାଇଙ୍କୁ ହତ୍ୟାକରି ପୋତିଦେଲେ ମଝିଆ ଭାଇ

ଭବାନୀପାଟଣା,୪।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତିଲଯୋଡି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିିଛି। ଚାଷ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ମଝିଆ ଭାଇ ହତ୍ୟା କରିଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ସାନଭାଇ ସହଯୋଗ କରିଛନ୍ତି। ମୃତକ ହେଲେ ପୂର୍ଣ୍ଣ ମାଝୀ। ଖବର ପାଇ ଭବାନୀପାଟଣା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ମୃତଦେହକୁ ଏକ ଗାତରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବେଦପତି ମାଝୀ ଓ ସହଯୋଗ କରିଥିବା ହୃଦା ମାଝୀଙ୍କୁ ପୋଲିସ ଥାନାକୁ ଆଣି ପଚାରାଉଚୁରା କରୁଛି।

ମିଳିଥିବା ସୂଚନା ଅନୁସାରେ, ତିଲଯୋଡି ଗାଁର ହୃଦା, ବେଦପତି ଓ ପୂର୍ଣ୍ଣ ୩ ଭାଇ ଅଟନ୍ତି । ତେବେ ଜମିରେ ପାଣି ମଡ଼ାଇବାକୁ ନେଇଁ ବିଭିନ୍ନ ସମୟରେ ମଝିଆ ଭାଇ ବେଦ ଓ ବଡ଼ ଭାଇ ପୂର୍ଣ୍ଣଙ୍କ ମଧ୍ୟରେ ଝଗଡା ହେଉଥିଲା । ସୋମବାର ଭବାନୀପାଟଣାରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଥିବାବେଳେ ଗାଁ ଲୋକେ ଏହି ଯାତ୍ରା ଦେଖିବା ପାଇଁ ଭବାନୀପାଟଣା ଯାଇଥିଲେ। ଏହି ସମୟରେ ଗ୍ରାମର ଚାଷ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ମଝିଆ ଭାଇ ବେଦ ଓ ବଡ଼ ଭାଇ ପୂର୍ଣ୍ଣଙ୍କ ମଧ୍ୟରେ ବଚସା ହୋଇ ଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମଝିଆ ଭାଇ ବେଦ ଏକ ବାଡି ସାହାଯ୍ୟରେ ପୂର୍ଣ୍ଣଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିଲେ। ପରେ ନିକଟସ୍ଥ ବାମନୀ ଜଙ୍ଗଲରେ ପୋତି ଦେଇଥିଲେ । ଏହି କାମରେ ତାଙ୍କୁ ସାନ ଭାଇ ହୃଦା ସହଯୋଗ କରିଥିବା ଅଭିଯୁକ୍ତ ବେଦ ପ୍ରକାଶ କରିଛନ୍ତି।