ଦୂରନ୍ତୋ ଏକ୍ସପ୍ରେସ୍‌ ଲାଇନଚ୍ୟୁତ

ଧର୍ମଶାଳା/ଚଣ୍ଡିଖୋଲ, ୩ା୧୨(ଡି.ଏନ.ଏ.): ଯଶୋବନ୍ତପୁର-ହାୱଡ଼ା ଦୂରନ୍ତୋ ଏକ୍ସପ୍ରେସର ଏକ ବଗି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ହରିଦାସପୁର ରେଳଷ୍ଟେଶନ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନାହିଁ। ତେବେ ରେଳଧାରଣା କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅବହେଳା ପାଇଁ ଦୁର୍ଘଟଣା ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ୩ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।
ସୂଚନା ମୁତାବକ, ଶୁକ୍ରବାର ପୂର୍ବାହ୍ନ ୧୧ଟା୧୫ରେ ହରିଦାସପୁରଠାରେ ହଠାତ ଏକ୍ସପ୍ରେସ୍‌ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଏହି ସମୟରେ ଜୋରରେ ଶବ୍ଦ ହୋଇଥିଲା। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣାରୁ ଟ୍ରେନ୍‌ଟି ବର୍ତ୍ତିଯାଇଥିଲା। ଟ୍ରେନ୍‌ ରହିବା ପରେ ଯାତ୍ରୀ ଭୟଭୀତ ହୋଇ ବାହାରକୁ ଚାଲିଆସିଥିଲେ। ପରେ ଜଣାପଡ଼ିଥିଲାକି ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଖବର ପାଇ ଦମକଳବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚତ୍ଥିଲେ। ଏହାପରେ ରେଲଓ୍ବେ ପୋଲିସ ପହଞ୍ଚିଥିଲା। ଦୁର୍ଘଟଣାଗ୍ରସ୍ତ ବଗିଟି ପାର୍ସଲ ବଗି ହୋଇଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ଦୁର୍ଘଟଣାରେ ରେଳଧାରଣର ଆଂଶିକ କ୍ଷତି ଘଟିଥିବା ଦେଖିବାକୁ ମିଳିଛି। ଖବର ପାଇ ପୂର୍ବତଟ ରେଲଓ୍ବେ ଖୋର୍ଦ୍ଧା ଡିଭିଜନର ଡିଜିଏମ୍‌ ରିଙ୍କେଶ ରାୟ, ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ସରୋଜ ଦାସଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଥିଲେ। ଏଠାରେ ରେଳ ଲାଇନ କାର୍ଯ୍ୟ ଚାଲିଥିବା ଯୋଗୁ ଏଭଳି ଅଘଟଣ ଘଟିଥିବା ସେମାନେ ଜାଣିବାକୁ ପାଇଥିଲେ। ନିୟମ ମୁତାବକ ରେଳ ଲାଇନ କାର୍ଯ୍ୟ କରିବା ସମୟରେ ଉପରିସ୍ଥ ଅଧିକାରୀଙ୍କଠାରୁ ବ୍ଲକ ନିଆଯାଇଥାଏ। ହେଲେ ଏଠାରେ ୩ କର୍ମଚାରୀ ବିଭାଗୀୟ ଅଧିକାରୀଙ୍କୁ ନ ଜଣାଇ କାମ କରୁଥିବା ଜଣାପଡ଼ିଥିଲା। ପ୍ରାରମ୍ଭିକ ଭାବେ କର୍ତ୍ତବ୍ୟରେ ଅବହେଳା ପାଇଁ ଧାନମଣ୍ଡଳ ବରିଷ୍ଠ ସେକ୍‌ଶନ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଦାସ, ହରିଦାସପୁର ଷ୍ଟେଶନ କନିଷ୍ଠ ଯନ୍ତ୍ରୀ ଆଓ୍ବାର ଦେଶ କୁମାର ଓ କର୍ମଚାରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଦୁର୍ଘଟଣାର କିଛି ସମୟ ମଧ୍ୟରେ ଖୋର୍ଦ୍ଧା ଡିଭିଜନର ଯନ୍ତ୍ରୀମାନେ ପହଞ୍ଚତ୍ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାଗ୍ରସ୍ତ ବଗିକୁ ବାଦ ଦିଆଯାଇ ଅପରାହ୍ନ ୨ଟା ୩୫ରେ ଟ୍ରେନ୍‌ ହାୱଡ଼ା ଅଭିମୁଖେ ଯାଇଥିଲା। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଡିଜିଏମ ସୂଚନା ଦେଇଛନ୍ତି। ତେବେ ଦୁର୍ଘଟଣା ପାଇଁ ଯାତ୍ରୀ ନାହଁି ନ ଥିବା ଅସୁବିଧା ଭୋଗିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ କରାଯାଇଥିଲା।