ବଢ଼ିଚାଲିଛି ଅବଧି, ସରିପାରୁନି ରେଳ ଓଭରବ୍ରିଜ୍‌

ରାଇବଣିଆ, ୧୮।୧୦(ନବୀନ ସାହୁ): ଜଳେଶ୍ୱର ନୂଆବଜାର ରେଳଫାଟକ ନିକଟରେ ନିର୍ମାଣଧୀନ ଓଭରବ୍ରିଜ କାମ ୫ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହେବାର ନା ଧରୁନି। ଫଳରେ ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି।
୭୩. ୪୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ରେଳ ଓଭରବ୍ରିଜ ପାଇଁ ଟେଣ୍ଡର ଜରିଆରେ ଆଶୀର୍ବାଦ କନଷ୍ଟ୍ରକଶନ ନିର୍ମାଣକାରୀ ସଂସ୍ଥାର ସତୀଶ ଭି. ରାଜୁଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସଂସ୍ଥା ସହ ହୋଇଥିବା ଚୁକ୍ତି ଅନୁସାରେ ୨୦୧୮ ସେପ୍ଟେମ୍ବର ୧୦ରେ କାମ ଶେଷ ହେବା କଥା। ଧାର୍ଯ୍ୟ ସମୟ ମଧ୍ୟରେ ଏହି କାମ ଶେଷ ହୋଇପାରିନାହିଁ। ବାରମ୍ବାର କାମ ଶେଷ ହେବାର ଅବଧିକୁ ବୃଦ୍ଧି କରାଯାଉଛି। ଏହି କାମ ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ହେବ ବୋଲି ଘୋଷଣା କରାଯାଇଛି। ଆହୁରି ୨୦ ପ୍ରତିଶତରୁ ଅଧିକ କାମ ବାକି ରହିଛି। ବାଲି ମିଳୁ ନ ଥିବାରୁ କାମ ବନ୍ଦ ରହିଛି ବୋଲି ପୂର୍ତ୍ତ ବିଭାଗ ତରଫରୁ କୁହାଯାଇଛି। ଓଭରବ୍ରିଜ କାମ ନିର୍ମାଣ ସରୁ ନ ଥିବାରୁ ଜିକେଭଟ୍ଟର ହସ୍ପିଟାଲଠାରୁ ଜଳେଶ୍ୱର ସବ୍‌ ରେଜିଷ୍ଟ୍ରାର ଅଫିସ ଯାଏ ରାସ୍ତାରେ ଦୁର୍ଦ୍ଦଶା ଭୋଗୁଛନ୍ତି। ସବୁଠାରୁ ବଡ଼ ସମସ୍ୟା ହେଉଛି ରେଳଫାଟକ ନିକଟରେ ପ୍ରତି ୧୦ ମିନିଟକୁ ଥରେ ରେଳ ଚଳାଚଳ କରୁଥିବାରୁ କେତେବେଳେ ୧୦ ମିନିଟ୍‌ ତ କେତେବେଳେ ୨୦/୨୫ ମିନିଟ ଲେଖାଏଁ ଏହି ଫାଟକକୁ ବନ୍ଦ ରଖାଯାଉଛି। ଏହି ସମୟରେ ଯାତାୟାତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଉଛି। ପୁଣି ଫାଟକ ଖୋଲିବା ପରେ ଅଣଓସାରିଆ ରାସ୍ତା ଯୋଗୁ ଜାମ୍‌ ଭଳି ସ୍ଥିତି ଉପୁଜୁଛି। ବେଳେବେଳେ ଅଧଘଣ୍ଟାଏ ଲେଖାଏଁ ଲୋକେ ଏହି କାରଣରୁ ଫସି ରହୁଛନ୍ତି। ତେଣୁ ଶୀଘ୍ର କାମ ଶେଷ କରିବା ପାଇଁ ସବୁ ମହଲରୁ ଦାବି ହେଉଛି।
ଏ ନେଇ ପୂର୍ତ୍ତ ବିଭାଗର ଅଧିକାରୀ ଅବିନାଶ ବେହେରା କହିଛନ୍ତି, ଡିସେମ୍ବର ସୁଦ୍ଧା ଏ କାମ ଶେଷ ହେବ।