ଟଙ୍କା ଭର୍ତ୍ତି ଏଟିଏମ୍‌ ଗାଡ଼ି ନେଇ ଡ୍ରାଇଭର ଛୁ’

ଖଡ଼ିଆଳ,୬।୭(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ଶାଖାରୁ ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଟଙ୍କା ଭର୍ତ୍ତି ଏଟିଏମ୍‌ ଗାଡ଼ିକୁ ନେଇ ଡ୍ରାଇଭର ଫେରାର ହୋଇଛନ୍ତି। ଏଟିଏମ୍‌ରେ ୫୭ ଲକ୍ଷ ୧୨ ହଜାର ଟଙ୍କା ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି। ଏ ନେଇ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ନୂଆପଡା ଓ ବଲାଙ୍ଗୀର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଖଡ଼ିଆଳ ଷ୍ଟେଟ ବ୍ୟାଙ୍କରେ ସିଏମ୍‌ଏଫ୍‌ କମ୍ପାନୀର (ଏଟିଏମ୍‌) ଗାଡି ନିୟୋଜିତ ହୋଇଛି। ବୁଧବାର ଅପରାହ୍ନ ସାଢ଼େ ୧ଟାରେ ୫୭ ଲକ୍ଷ ୧୨ ହଜାର ଟଙ୍କା ବାହାର କରି ବୋଡ଼େନ ଓ ସିନାପାଲି ବ୍ଲକର ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭରିବାର ଥିଲା। ଏଟିଏମ୍‌ ଗାଡ଼ି (ନଂ.ଓଆରବିକ୍ୟୁ-୬୧୯୦)ରେ ଟଙ୍କା ଭରିବା ପରେ ଦୁଇଜଣ କର୍ମଚାରୀ ବ୍ୟାଙ୍କ ଭିତରକୁ କୌଣସି କାର୍ଯ୍ୟ ପାଇଁ ଯାଇଥିଲେ। ଏଟିଏମ୍‌ ଗାଡିର ଗାର୍ଡ ପରିସ୍ରା କରିଯିବା ବେଳେ ଡ୍ରାଇଭର ଟଙ୍କା ଭର୍ତ୍ତି ଥିବା ଏଟିଏମ୍‌ ଗାଡିକୁ ନେଇ ଫେରାର ହୋଇଯାଇଥିଲେ। ବ୍ୟାଙ୍କ କର୍ମଚାରୀ ଫେରି ଆସି ବ୍ୟାଙ୍କ ସାମ୍‌ନାରେ ଗାଡି ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ୨ କର୍ମଚାରୀ ଓ ଗାର୍ଡ ଆସି ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ନୂଆପଡା-ବଲାଙ୍ଗୀର ଜିଲା ସୀମାନ୍ତ ସନ୍ଧିବାହାଳି ଓ ଭରୁଆକାନି ମଝିରେ କେବଳ ଗାଡ଼ିକୁ ଜବତ କରିଥିବା ବେଳେ ଡ୍ରାଇଭର ଟଙ୍କା ଧରି ଫେରାର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଘଟଣାରେ ୨ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।