Categories: ଫୁରସତ

ମାଲିକଙ୍କୁ ଟିଫିନ୍‌ ଦେବା ପାଇଁ ପ୍ରତିଦିନ ୨ କିଲୋମିଟର ଯାଏ ଏହି କୁକୁର

କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ। ତେଣୁ କୁକୁର ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼। ସେମାନେ ନିଜ ମାଲିକଙ୍କ ପାଇଁ କିଛି ବି କରିବାକୁ ପଛାନ୍ତିନାହିଁ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବ୍ୟସ୍ତବହୁଳ ଜୀବନରେ ଚାଲିବାକୁ କଷ୍ଟ ହୁଏ ବୋଲି ମଣିଷ କାର୍‌ ଓ ବାଇକ୍‌ ବ୍ୟବହାର କରୁଥିବାବେଳେ ସାମାନ୍ୟ କୁକୁରଟି ନିଜ ମାଲିକଙ୍କ ପାଇଁ ୨ କିଲୋମିଟର ଚାଲିଚାଲି ଟିଫିନ୍‌ ଦେବାକୁ ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ।

ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ କୁକୁର ରାସ୍ତାରେ ପାଟିରେ ମଧ୍ୟାହ୍ନ ଭୋଜନ ବାକ୍ସ ନେଇ ଯାଉଥିବାର ଦେଖିବାକୁ ପାଇବେ। ସେ ରାସ୍ତା ମଝିରେ କିଛି ସମୟ ପାଇଁ ଅଟକି ଯାଉଛି। ପରେ ଉଭୟ ପାର୍ଶ୍ୱକୁ ଚାହୁଁଛି। ଏକ ଟ୍ରକ୍‌ଟି ଚାଲିଯିବା ପରେ କୁକୁରଟି ପୁଣି ରାସ୍ତାରେ ଚାଲିବା ଆରମ୍ଭ କରୁଛି।

ତେବେ ଏହି ଜର୍ମାନ ସେଫର୍ଡ କୁକୁରଟିର ନାମ ସିରୋ ବୋଲି ଭିଡିଓରୁ ଜଣା ପଡ଼ିଛି। ସେ ପ୍ରତ୍ୟେକ ଦିନ ୨ କିଲୋମିଟର ଦୂର ନିଜ ମାଲିକଙ୍କ ଅଫିସକୁ ଚାଲି ଚାଲି ଖାଦ୍ୟ ଦେବାକୁ ଯାଇଥାଏ। ଭିଡିଓଟି ଦେଖିଲେ ଏହା କେଉଁ ଏକ ପାହାଡ଼ଆ ଅଞ୍ଚଳର ବୋଲି ଜଣାପଡ଼େ। ତେବେ କୁକୁରଟି ଏତେ ବୁଦ୍ଧିମାନ ଯେ, ସେ ରାସ୍ତାରେ ଚାଲୁଥାଏ ।କୌଣସି ଗାଡ଼ିମୋଟର ଆସୁଥିବାର ଦେଖିଲେ ଅଟକି ଯାଏ। ନଚେତ୍‌ ରାସ୍ତା ପାର୍ଶ୍ୱରେ ଯାଇ ଠିଆ ହୋଇଯାଏ। ଗାଡ଼ି ଯିବା ପରେ ପୁଣି ସେ ତା’ର ଗନ୍ତବ୍ୟ ପଥରେ ଆଗେଇ ଚାଲେ। ନିଜ ମାଲିକଙ୍କ ପ୍ରତି କୁକୁରର ଭଲପାଇବା ଦେଖି ଲୋକେ ଭାବପ୍ରବଣ ହୋଇଯାଉଛନ୍ତି।

Share