ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ମାଗୁଥିଲେ ଲାଞ୍ଚ, ସାମ୍ନାକୁ ଆସିଲା ଘଟଣା

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର  ଲାଞ୍ଚ ନେବା ଘଟଣାର ଭିଡିଓ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି।
ଷ୍ଟିଙ୍ଗ ଅପରେଶନରେ ଜଣେ ଡାକ୍ତର ଲାଞ୍ଚ ନେଉଥିବା ଘଟଣା ପଦାକୁ ଆସିଛି। ମୋବାଇଲରେ ଏହି ଭିଡିଓ ରେକର୍ଡ ହୋଇଛି। ଫଳରେ ଡାକ୍ତରଖାନାରେ ରୋଗୀସେବା ନାମରେ ଚାଲିଥିବା ଶୋଷଣ ପଦାରେ ପଡ଼ିଛି।

ପ୍ରକାଶ ଯେ, ଜଣେ ବ୍ୟକ୍ତି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଡାକ୍ତରଖାନା ଯାଇଥିବା ବେଳେ ତାଙ୍କୁ ଡାକ୍ତର ଜଣକ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ମୃତଦେହ ବ୍ୟବଚ୍ଛେଦ ଭଳି ଏକ ସମ୍ବେଦନଶୀଳ ଘଟଣାରେ ଅର୍ଥ ମାଗିବା ସମସ୍ତଙ୍କୁ ଚକିତ କରିଛି।

ଏଭଳି ଘଟଣା କେନ୍ଦୁଝର ଜିଲା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି। ଆଗରୁ ଏଭଳି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଲାଞ୍ଚ ନେବା ଘଟଣା ଅଭିଯୋଗ ହୋଇ ଆସୁଥିଲେ ହେଁ ବିଭାଗୀୟ ଉପରିସ୍ଥ ଅଧିକାରୀ ସଂପୃକ୍ତ ଡାକ୍ତରଙ୍କୁ ଘଣ୍ଟ ଘୋଡ଼ାଇ ଆସୁଥିବା ବେଳେ ଏବେ ଏଭଳି ଭିଡିଓ ଭାଇରାଲ ସ୍ବାସ୍ଥ୍ୟ ବିଭାଗର ଭିତିରି କଥା ପଦାରେ ପଡ଼ିଛି। ଉକ୍ତ ଡାକ୍ତର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଜଣେ ଗରିବ ଲୋକଙ୍କଠାରୁ ଦୁଇଟି କିସ୍ତିରେ ଟଙ୍କା ନେଇଥିବା ଭିଡିଓରେ ରେକର୍ଡ ହୋଇଛି।

ସୂଚନାନୁଯାୟୀ, ଫେବୃୟାରୀ ୫ରେ ତେଲକୋଇ ଥାନା କରଦାଙ୍ଗି ଗାଁ ଖଜୁରିଆ ସାହିର କଳାବତୀ ବେହେରା ଘୁରୁଡିଆ ନାଳରେ ବୁଡି ପ୍ରାଣ ହରାଇଥିଲେ। ତାଙ୍କର ତେଲକୋଇ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଡାକ୍ତର କଳାବତୀଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିବା ବେଳେ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡ଼ାଇବା ପରେ ପ୍ରଥମେ ୩ ହଜାର ଓ ପରେ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଲାଞ୍ଚ ମାଗିବା ସମୟର ଭିଡିଓ ମଧ୍ୟ ରହିଛି। ଜଣେ ଡାକ୍ତର ସର୍ତକତାର ସହିତ କିଭଳି ଲାଞ୍ଚ ନେଉଛନ୍ତି ତାହା ଭିଡିଓ ଓ ଅଡିଓରେ ସ୍ପଷ୍ଟ ଜଣାପଡୁଛି। ଅଭିଯୁକ୍ତ ଡାକ୍ତର ଜଣଙ୍କ ଜିଲା ଖଣିଜ ପାଣ୍ଠି ଅନୁଦାନରେ ତେଲକୋଇ ମେଡିକାଲରେ ମାସକୁ ଲକ୍ଷାଧିକ ଟଙ୍କା ଦରମାରେ ଚାକିରି କରୁଥିବା ବେଳେ ଗରିବ ଖଟିଖିଆଙ୍କୁ ଲୁଟିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ତେବେ ଏ ଲାଞ୍ଚୁଆ ଡାକ୍ତରଙ୍କ ପ୍ରତି ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କି ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା। ଏନେଇ ସ୍ଥାନୀୟ ଥାନା ଅଧିକାରୀ ସାଇପ୍ରଭା ରାଉତଙ୍କୁ ପଚାରିବାରୁ ଏହି ଘଟଣାକୁ ନେଇ କୌଣସି ରିପୋର୍ଟ ମିଳି ନ ଥିବା କହିଛନ୍ତି।