ଡିଭାଇଡରକୁ ବେଆଇନ ଭାବେ ଭାଙ୍ଗି ଚଳପ୍ରଚଳ

ଡେରାବିଶ,୫।୭(ସ୍ବ.ପ୍ର.): ଚଣ୍ଡିଖୋଲଠାରୁ ପାରାଦୀପ ଯାଏ ଯାଇଥିବା ୫୩ ନଂ. (କ) ଜାତୀୟ ରାଜପଥର ଡେରାବିଶ ବ୍ଲକ ପଞ୍ଚୁପାଣ୍ଡବଠାରୁ ଅଁଳାବାଙ୍କ ମଧ୍ୟରେ ରାଜପଥରେ ଥିବା ଡିଭାଇଡରକୁ ବ୍ୟବସାୟ ନିମନ୍ତେ ବେଆଇନ ଭାବେ ଭାଙ୍ଗି ଦେବାରୁ ଏହି ସ୍ଥାନରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଏହି ରାଜପଥର ଛତା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୀର୍ଘଦିନ ହେବ ଡିଭାଇଡର ଭଙ୍ଗାଯାଇ ଯାନବାହନ ପମ୍ପକୁ ଯିବାଆସିବା କରୁଛି। ପେଟ୍ରୋଲ ପମ୍ପରେ ତେଲ ପକାଇ ରାସ୍ତାର ଅପରପାର୍ଶ୍ୱକୁ ଗାଡ଼ିଚାଳକ ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଦୁର୍ଘଟଣାରେ ବିଭିନ୍ନ ସମୟରେ ବହୁ ଧନଜୀବନ ହାନି ହୋଇଥିଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ସେହିପରି ରାସ୍ତା ପାର୍ଶ୍ୱରେ ବିଭିନ୍ନ ହୋଟେଲ ଓ ଛୋଟ ଛୋଟ ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନେ ଡିଭାଇଡରକୁ କାଟି ସେମାନଙ୍କର ବ୍ୟବସାୟ ବୃଦ୍ଧି କରୁଛନ୍ତି। ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିବା ନେଇ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ପ୍ରକାଶ କରିଛନ୍ତି। ବେଆଇନ ଭାବେ ଡିଭାଇଡରକୁ କଟାଯାଇ ରାସ୍ତା କରାଯାଇଥିବା ସ୍ଥାନକୁ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ବନ୍ଦ କରିବାକୁ ମହାପାତ୍ର ଦାବି କରିଛନ୍ତି। ଏ ବିଷୟରେ କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଲେ, ଏ ବିଷୟରେ ରାଜପଥ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଜଣାଇଛନ୍ତି। ତେବେ ରାଜପଥ ବିଭାଗ ତରଫରୁ ଯଦି କୌଣସି ପଦକ୍ଷେପ ନିଆନଯାଏ, ପରିବହନ ବିଭାଗ ପକ୍ଷରୁ ବେଆଇନ ଭାବେ ଡିଭାଇଡର କାଟୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, ପାରାଦ୍ୱୀପଠାରୁ ଚଣ୍ଡିଖୋଲ ଯାଏ ଏହି ରାଜପଥକୁ ଦୁଇଲେନ୍‌ କରାଯାଇଥିବା ବେଳେ ଦୈନିକ ଶହଶହ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ୍‌ ଓ ଅନ୍ୟ ଯାନବାହନ ଚଳାଚଳ କରିଥାଏ।