ସମସ୍ୟା ଦେଇ ଗତିକରୁଛି ଜିଲା ମୁଖ୍ୟ ଚିକିତ୍ସାଳୟ

ପାରଳାଖେମୁଣ୍ଡି,୨୮ା୫ (ଡି.ଏନ୍‌.ଏ): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ସ୍ଥାଣୁ ପାଲଟିଛି। ରୋଗୀଙ୍କୁ ଠିକ୍‌ ଭାବେ ସେବା ମିଳୁନି କି ନିରାମୟ କେନ୍ଦ୍ରରେ ଔଷଧ ମିଳୁନି। ଖାଲି ସେତିକି ନୁହେଁ, ଡାକ୍ତରମାନଙ୍କ ଘୋର ଅଭାବ ରହିଛି। ରକ୍ତ ପରୀକ୍ଷାଗାର ଠାରୁ ଆରମ୍ଭ କରି ରୋଗୀ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ମୁଖ୍ୟ ଚିକିତ୍ସାଳୟ ଉପରେ ସମଗ୍ର ଜିଲାବାସୀଙ୍କ ସହ ପଡୋଶୀ ଜିଲା ରାୟଗଡାର ଗୁଣୁପୁର ଉପଖଣ୍ଡବାସୀ, ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲାର ବହୁ ଗ୍ରାମବାସୀ ନିର୍ଭର କରିଥାନ୍ତି। ଏକଦା ଏହି ଚିକିତ୍ସାଳୟ ବହୁ ସୁନାମ ଅର୍ଜନ କରିଥିବା ବେଳେ ଗତ କିଛି ବର୍ଷ ହେଲା ଶ୍ରୀହୀନ ହୋଇପଡିଛି। ପରିଚାଳନାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେଉଥିବା ବେଳେ ପ୍ରଶାସନର ତାଗିଦ ସତ୍ତ୍ବେ ସୁଧୁରିବାର ନାମ ଗନ୍ଧ ଧରୁନାହିଁ। ଖୋଦ ଜିଲାପାଳ ଅଚାନକ ଗସ୍ତ କରି ସମସ୍ୟା ଉପଲବ୍‌ଧି କରି ସମସ୍ୟାର ସମାଧାନ ପାଇଁ ତାଗିଦ କଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ବେଖାତିର କରିଚାଲିଛନ୍ତି। ନାନାଦି ସମସ୍ୟା ଘେରରେ ଗତି କରୁଥିବା ବିଷୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ହେଲେ ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନାହିଁ। ମୁଖ୍ୟତଃ ସ୍ଥାୟୀ ଆନେସ୍ତେସିଆ ଡାକ୍ତର ନଥିବାରୁ ବିଶେଷ କରି ପ୍ରସୂତୀ ମହିଳାମାନଙ୍କୁ ମେଡିକାଲ ତରଫରୁ ବାହାର ଜିଲା କିମ୍ବା ଅନ୍ୟ ରାଜ୍ୟକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଉଛି। ଯାହାଦ୍ୱାରା ରୋଗୀ ବହୁ ଖର୍ଚ୍ଚାନ୍ତ ହେବା ସହ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ୬ ମାସ ହେଲା ଏହି ସମସ୍ୟା ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେହିପରି ପାନୀୟ ଜଳଠାରୁ ଆରମ୍ଭ କରି ରୋଗୀଙ୍କ ବେଡ ସମସ୍ୟା ଲାଗି ରହିଛି। ରକ୍ତ, ମଳମୁତ୍ର ଆଦି ପରୀକ୍ଷାଗାରରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ରିପୋର୍ଟ ଦେବାରେ ବହୁ ବିଳମ୍ବ ଘଟୁଥିବାର ଅଭିଯୋଗ ହୋଇଛି। ରିପୋର୍ଟ କିମ୍ବା ନମୁନା ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି। ପରୀକ୍ଷାଗାର ପରିସରରେ ଅପେକ୍ଷାରତ ରୋଗୀମାନଙ୍କ ପାଇଁ ଫ୍ୟାନ୍‌ ବ୍ୟବସ୍ଥା ନାହିଁ। ବେଳେ ବେଳେ ମେଡିସିନ ବିଭାଗ ବନ୍ଦ ରହୁଥିବାରୁ ଅସ୍ତିଶଲ୍ୟ ବିଭାଗର ଡାକ୍ତର ଚିକିତ୍ସା କରୁଥିବାର ଦେଖିବାକୁ ମିଳୁଛି । ଶୀତତାପ ଯନ୍ତ୍ର କାର୍ଯ୍ୟକାରୀ ହେଉନାହିଁ । ଫଳରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ ଜଣାଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସେହି ଏସିଗୁଡିକ କାର୍ଯ୍ୟକାରୀ ହୋଇନାହିଁ । ସମସ୍ୟା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଆନେସ୍ତେସିଆ ଡାକ୍ତରଙ୍କ ନିଯୁକ୍ତି ଲାଗି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ସେହିପରି ଆବଶ୍ୟକ ଡାକ୍ତରଙ୍କୁ ନିଯୁକ୍ତି ଲାଗି ମଧ୍ୟ ଲେଖାଯାଇଛି। ଖରାପ ହୋଇଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସଜାଡିବା ପାଇଁ ଜିଡି ବିଭାଗକୁ ଚିଠିଲେଖି ଜଣିଇଛୁ, ସେମାନେ
ଆସିଲେ ମରାମତି ହେବ।