ଜିଲାବାସୀଙ୍କୁ ସତର୍କ କରିବା ପାଇଁ ସାଇକେଲ୍‌ରେ ବୁଲିଲେ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୨୧ା୨: ପୁଣି କରୋନା କାୟା ମେଲାଉ ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ରବିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଇକେଲ୍‌ରେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ବିଭିନ୍ନ ସ୍ଥାନ ବୁଲି କୋଭିଡ୍‌ ସଚେତନତା ଓ ସହରର ସଫେଇ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଡେପୁଟି କମିଶନର ରୋମାଞ୍ଚଳ ଖମାରୀଙ୍କ ସମେତ ବିଏମ୍‌ସିର ପଦାଧିକାରୀମାନଙ୍କ ସହ ମିଶି ଜିଲାପାଳ ସହରର ଗାନ୍ଧୀନଗର, ବିଜିପୁର, କମାପଲ୍ଲୀ, କୋର୍ଟପେଟା, ପୁରୁଣା ବସ୍‌ଷ୍ଟାଣ୍ଡ ଆଦି ପରିଦର୍ଶନ କରିଥିଲେ। ଆଗାମୀ ଦିନରେ କରୋନା ସଚେତନତାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ସହରରେ ଖୋଲିଥିବା ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିି। ଗଞ୍ଜାମବାସୀ ଭୟଭୀତ ହୁଅନ୍ତୁ ନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ଜିଲାପାଳ କହିଛନ୍ତି।