ଆଜିଠୁ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି

ଖୋର୍ଦ୍ଧା ଅଫିସ,୧୮ା୪: ଦୁଇବର୍ଷ ପରେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ। ସୋମବାରଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ହେବ। ଏଣିକି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ସରକାରୀ ଅଧିକାରୀ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ସମସ୍ତ ଜିଲାପାଳ ଏବଂ ଏସ୍‌ପିଙ୍କ ସମେତ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ୨୦୨୦ ମାର୍ଚ୍ଚ ୧୩ରୁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ଏହି ସମୟରେ ଅନ୍‌ଲାଇନ ପୋର୍ଟାଲରେ ଅଭିଯୋଗ ଶୁଣାଣି ହେଉଥିଲା। ଜିଲା ପ୍ରଶାସନ ପକ୍ଷରୁ ହ୍ବାଟ୍‌ସଆପ୍‌, ଇମେଲରେ ଅଭିଯୋଗ ଶୁଣାଣି ହେଉଥିଲା। ଗୃହ ବିଭାଗର ଚିଠି ପରେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜନଶୁଣାଣି ଲାଗି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। ଲୋକଙ୍କ ଅଭିଯୋଗ ଶୁଣାଣି ସହ ତ୍ୱରିତ ସମାଧାନ ଲାଗି ଜିଲାପାଳ ତାଗିଦ୍‌ କରିଛନ୍ତି। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ୧୮ ତାରିଖ ସକାଳ ୮ଟାରୁ ଖୋର୍ଦ୍ଧା ବ୍ଲକରେ ଅଭିଯୋଗ ଶୁଣାଣି କରାଯିବ। ୨୫ ତାରିଖ ସକାଳ ୯ଟାରୁ ବାଲିପାଟଣା ବ୍ଲକ, ମେ ୨ତାରିଖ ସକାଳ ୯ଟାରୁ ବୋଲଗଡ଼ ବ୍ଲକ, ୯ତାରିଖ ସକାଳ ୯ଟାରୁ ବାଲିଅନ୍ତା ବ୍ଲକ, ୧୭ ତାରିଖ ସକାଳ ୯ଟାରୁ ଟାଙ୍ଗୀ ବ୍ଲକ, ୨୩ତାରିଖ ସକାଳ ୯ଟାରୁ ଜଟଣୀ ବ୍ଲକ, ୩୧ ତାରିଖ ସକାଳ ୯ଟାରୁ ବାଣପୁର ବ୍ଲକ, ଜୁନ ୬ତାରିଖ ସକାଳ ୮ଟାରୁ ଖୋର୍ଦ୍ଧା ବ୍ଲକ, ୧୩ ତାରିଖ ସକାଳ ୯ଟାରୁ ଚିଲିକା ବ୍ଲକ, ୨୦ତାରିଖ ୧୦ଟା ୩୦ରୁ ଭୁବନେଶ୍ୱର ବ୍ଲକ ଏବଂ ୨୭ତାରିଖ ୧୦ଟା ୩୦ରୁ ବାଲିପାଟଣା ବ୍ଲକରେ ଅଭିଯୋଗ ଶୁଣାଣି କରାଯିବ। ଉପରୋକ୍ତ ତାରିଖ ଓ ସମୟରେ ଅଭିଯୋଗକାରୀମାନେ ସମ୍ପୃକ୍ତ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଦାଖଲ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।