ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ପୁରୀ ଅଫିସ, ୧୬।୧୨:ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରେ ଖୋଲିବ। ଏ ନେଇ ନିକଟରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଥିଲେ। ବର୍ତ୍ତମାନ ମନ୍ଦିର ଯଦି ଖୋଲିବ କିଭଳି କଟକଣା ରହିବ ସେ ନେଇ ବାରମ୍ବାର ଆଲୋଚନା ଚାଲିଛି। ମୁଖ୍ୟତଃ ମନ୍ଦିରରେ ଭକ୍ତଙ୍କ ଦର୍ଶନ ନେଇ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ) କ’ଣ ରହିବ ତା’ ଉପରେ ଆଲୋଚନା ହୋଇଛି। ବୁଧବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପୁଣି ବୈଠକ ବସିଥିଲା। ଏଥିରେ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି କନୱର ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ୨୩ରେ ମନ୍ଦିର ଖୋଲିବା ଉପରେ ସବୁ ଦ୍ୱାରରେ କିଭଳି ବ୍ୟବସ୍ଥା ରହିବ ସେସବୁର ଜିଲାପାଳ ତଦାରଖ କରିଛନ୍ତି। ଜିଲାପାଳ ଶ୍ରୀମନ୍ଦିର ଚାରିପାଖ ବୁଲି ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥିସହ ଦିନକୁ ମନ୍ଦିରରେ କେତେ ଲୋକ ପ୍ରବେଶ କରିବେ, ଏକକାଳୀନ କେତେ ଲୋକଙ୍କୁ ଅନୁମତି ଦିଆଯିବ, ସ୍ଥାନୀୟ ଲୋକେ କେଉଁ ଆଧାରରେ ଦର୍ଶନ କରିବେ, ମାସ୍କ, ସାନିଟାଇଜ ବ୍ୟବହାରର ତଦାରଖ କିଏ କରିବ ଆଦି ଉପରେ ଆଲୋଚନା ହୋଇଛି। କୋଭିଡ୍‌ କଟକଣା କିପରି ପାଳନ ହେବ ଏବଂ ଏହାକୁ କେଉଁମାନେ ନିୟନ୍ତ୍ରଣ କରିବେ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ସେହିପରି ଜୋତା ଓ ମୋବାଇଲ ଫୋନ୍‌ ଷ୍ଟାଣ୍ଡ, ପାର୍କିଂ ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଛି। ଖୁବଶୀଘ୍ର ଏସ୍‌ଓପି ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ମନ୍ଦିର ଚାରିପଟେ ଶେଡ୍‌ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ସାଧାରଣ ଶେଡ୍‌ ପ୍ରସ୍ତୁତ ହୋଇଥିବା ବେଳେ ଏବେ ନୂତନ ଶେଡ୍‌ କାମ ଚାଲିଛି। ଏହାକୁ ନେଇ ବିରୋଧ ମଧ୍ୟ ହେଲାଣି। ଜନସାଧାରଣଙ୍କ ଯିବାଆସିବା ରାସ୍ତାରେ ପ୍ରଶାସନ ନିୟମ ଉଲ୍ଲଂଘନ କରି କାହିଁକି ଶେଡ୍‌ କରୁଛି ବୋଲି ଜିଲାପାଳଙ୍କ ନିକଟରେ ମଧ୍ୟ କେତେଜଣ ଅଭିଯୋଗ କରିଛନ୍ତି।