କୋଭିଡ୍‌ ନିୟମ ଉଲ୍ଲଂଘନ: ମଦ ଡିପୋରେ ଚଢ଼ାଉ କଲା ଜିଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୧୩ା୭: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସୋମବାର ମଦ ଡିପୋରେ ଚଢ଼ାଉ କରାଯାଇଛି । ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସିଷ୍ଟାଣ୍ଟ କଲେକ୍ଟର ବିଜୟ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଡିପୋରେ ଚଢ଼ାଉ କରିଥିଲେ। କୋଭିଡ୍‌ ଗାଇଡ୍‌ ଲାଇନ ପାଳନ ଲାଗି ତାଗିଦ୍‌ କରିଥିଲେ। ଡିପୋକୁ ମଦ ନେବା ଲାଗି ଆସୁଥିବା ଲୋକଙ୍କୁ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟପଟେ ମଦ ଡିପୋରେ ଖୁଲମଖୁଲା ଭାବେ କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଡିପୋ ଉପରେ ଗଞ୍ଜାମ, ପୁରୀ, ନୟାଗଡ଼ ଏବଂ ଅଭିଭକ୍ତ କଟକ ମଦ ବ୍ୟବସାୟୀ ନିର୍ଭରଶୀଳ । ଦୈନିକ ଶହ ଶହ ଟ୍ରକ ବିଭିନ୍ନ ସ୍ଥାନରୁ ଏଠାକୁ ଆସୁଛି। ଏଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଛି । ଗଞ୍ଜାମ ଜିଲାରୁ ବହୁ ବ୍ୟବସାୟୀ ଆସୁଛନ୍ତି । ଏଣୁ ମଦ ଡିପୋ ସିଲ୍‌ ଲାଗି କେତେ ଜଣ ବ୍ୟବସାୟୀ ଦାବି କରିଛନ୍ତି। ଏନେଇ ଓଏସ୍‌ବିସି ଅଫିସର ଇନ୍‌ଚାର୍ଜ ଦ୍ୱିଜକିଶୋର ଧଣ୍ଡେଲ କୁହନ୍ତି, କୋଭିଡ୍‌ ଗାଇଡ୍‌ଲାଇନ ପ୍ରତି ଗୁରୁତ୍ୱ ଦିଆଯିବ। ସାମାଜିକ ଦୂରତା, ମାସ୍କ ଏବଂ ସାନିଟାଇଜ ପ୍ରତି ଦୃଷ୍ଟି ଦିଆଯିବ।