Categories: ଜାତୀୟ

କର୍ତ୍ତବ୍ୟରୁ ଓହରିପାରିବେନି ସାମ୍ବିଧାନିକ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ, ୧ା୩: ପଞ୍ଜାବର ଆମ୍‌ ଆଦ୍‌ମୀ ପାର୍ଟି ସରକାର ଏବଂ ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏହା ଉପରେ ଗଭୀର ସାମ୍ବିଧାନିକ ଆଲୋଚନା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଫଳରେ ଉଭୟ ପକ୍ଷଙ୍କୁ କଡ଼ା ବାର୍ତ୍ତା ଯାଇଛି। ସାମ୍ବିଧାନିକ କର୍ତ୍ତୃପକ୍ଷ ତାଙ୍କ କର୍ତ୍ତବ୍ୟ ପୂରଣ ନ କରିବା ଅର୍ଥ ନୁହେଁ ଯେ ଅନ୍ୟ ଜଣେ ମଧ୍ୟ ସାମ୍ବିଧାନିକ କର୍ତ୍ତବ୍ୟ ନିର୍ବାହ କରିବେ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣିବେଳେ କହିଛନ୍ତି। ଆପଣମାନେ ଭିନ୍ନ ରାଜନୈତିକ ଦଳର ହୋଇପାରନ୍ତି। କିନ୍ତୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କୌଣସି ଦଳର ନୁହେଁ। ଆମକୁ ଏହା ଉପରେ ଆଲୋଚନା କରିବାକୁ ହେବ ବୋଲି ସିଜେଆଇ କହିଛନ୍ତି।
ରାଜ୍ୟପାଳ ପୁରୋହିତ ସରକାରଙ୍କୁ କେତେକ ତଥ୍ୟ ମାଗିଥିଲେ। ସରକାର ଏହା ପ୍ରଦାନ ନ କରିବାରୁ ରାଜ୍ୟପାଳ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଡାକିବାରେ ବିଳମ୍ବ କରିଥିଲେ। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କୁ ରାଜ୍ୟପାଳ ପତ୍ର ଲେଖି ରାଜଭବନ ପତ୍ରର ଉତ୍ତର ମିଳି ନ ଥିବା ସମ୍ପର୍କରେ ଅବଗତ କରାଇଥିଲେ। ସେଥିପାଇଁ ସେ ଅଧିବେଶନ ଡାକିବାକୁ ବ୍ୟଗ୍ର ନୁହନ୍ତି ବୋଲି କହିଥିଲେ। ଏହାକୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେବା ସହ ମାମଲା ସୁପ୍ରିମକୋର୍ଟରେ ପହଞ୍ଚତ୍ଥିଲା। ରାଜ୍ୟପାଳଙ୍କୁ ତଥ୍ୟ ଦେବା ଲାଗି ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ଦୃଷ୍ଟିରୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ତଥ୍ୟ ନ ଦେବା ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟର ଉଲ୍ଲଂଘନ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତଥ୍ୟ ଦେଇ ନ ଥିବାରୁ ରାଜ୍ୟପାଳ ବଜେଟ ଅଧିବେଶନ ଡାକିବା ସାମ୍ବିଧାନିକ କର୍ତ୍ତବ୍ୟ ନ ଡାକିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସିଜେଆଇ କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧୭୪ ଅନୁଯାୟୀ ଅଧିବେଶନ ଡାକିବା ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତା ନୁହେଁ। ପୂର୍ବରୁ ସୁପ୍ରିମକୋର୍ଟର ସାମ୍ବିିଧାନିକ ଖଣ୍ଡପୀଠ ନବମ ରେବିଆ ମାମଲାରେ ଏହା ଦର୍ଶାଇଥିଲେ।

Share