Categories: ଫୁରସତ

ଶିକ୍ଷକଙ୍କ ଭାଗ୍ୟ ବଦଳାଇଲେ ଶିଷ୍ୟ

ସାଧାରଣତଃ ଛାତ୍ରଙ୍କୁ ଭଲ ମଣିଷ କରି ଗଢ଼ି ତୋଳିଥା’ନ୍ତି ଶିକ୍ଷକ। ମାତ୍ର ଜଣେ ଛାତ୍ର ଶିକ୍ଷକଙ୍କ ଭାଗ୍ୟ ବଦଳାଇ ଦେବା କଥା ନିଶ୍ଚିତ ପ୍ରଶଂସାଯୋଗ୍ୟ। କାଲିଫର୍ନିଆର ଜୋସ୍‌ ଭିଲାଲୁଏଲା ନାମକ ଜଣେ ଶିକ୍ଷକଙ୍କ କ୍ଷେତ୍ରରେ ଏପରି ଘଟିଥିବା ଦେଖିବାକୁ ମିଳିଛି।

କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଲୋକ ବେରୋଜଗାର ହୋଇପଡ଼ିଛନ୍ତି। ଠିକ୍‌ ଏମିତି ଶିକ୍ଷକ ଜୋସ ଚାକିରି ହରାଇଥିଲେ। ତାଙ୍କ ନିକଟରେ ଆୟର କୌଣସି ଉତ୍ସ ନ ଥିଲା। ସେ ନିଜ କାର୍‌କୁ ଘର କରି ସେଥିରେ ରହୁଥିଲେ। ତାଙ୍କ ନିକଟରେ ଯେତିକି ସଞ୍ଚିତ ଅର୍ଥ ଥିଲା ତାହା ସେ ପରିବାର ପିଛାରେ ଖର୍ଚ୍ଚ କରି ଦେଇଥିଲେ। ସ୍କୁଲ ବନ୍ଦ ଥିବାରୁ ସେ ଅଭାବ ଅନଟନ ଯୋଗୁ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ତାଙ୍କର ଏପରି ଅବସ୍ଥା ଦେଖି ଷ୍ଟିଭନ ନାମକ ଜଣେ ଛାତ୍ର ଶିକ୍ଷକଙ୍କ ଜୀବନ ବଦଳାଇ ଦେଇଛନ୍ତି।

ଷ୍ଟିଭନ କୁହନ୍ତି, ଯେତେବେଳେ ମୁଁ ଘରୁ ବାହାରକୁ କୌଣସି କାମରେ ଯାଇଥିଲି ସେତେବେଳେ ମୋ’ ଗୁରୁଙ୍କୁ ଏପରି ଅବସ୍ଥାରେ ଦେଖିଥିଲି। ତେଣୁ ମୁଁ ଚାହୁଁଥିଲି ଏମିତି କିଛି କରିବି ଯେମିତି ମୋ’ ଗୁରୁ ବା ଶିକ୍ଷକଙ୍କର ଅଭାବ ରହିବ ନାହିଁ। ଏହା ପରେ ଷ୍ଟିଭନ ଗୋଟିଏ ଫଣ୍ଡ ତିଆରି କଲେ। ସେଥିରେ ଅର୍ଥ ଜମା କଲେ।

ଷ୍ଟିଭନ କୁହନ୍ତି, ୫ ହଜାର ଡଲାର ଏକାଠି କରିବାର ଲକ୍ଷ୍ୟ ଥିଲା। ମାତ୍ର ବର୍ତ୍ତମାନ ଏହା ୬ ଗୁଣ ହୋଇଯାଇଛି। ଗୁରୁବାର ଶିକ୍ଷକଙ୍କ ୭୭ତମ ଜନ୍ମଦିନ ପାଳନ କରାଯାଇଥିଲା। ଏହିଦିନ ସେ ତାଙ୍କୁ ସର୍‌ପ୍ରାଇଜ ଉପହାର ଦେଇଥିଲେ। ଛାତ୍ରଙ୍କଠାରୁ ଏମିତି ସର୍‌ପ୍ରାଇଜ ପାଇ ଶିକ୍ଷକ ଆତ୍ମବିଭୋର ହୋଇଯାଇଛନ୍ତି। ସେ କହିଛନ୍ତି, ମୁଁ କେବେ ଏମିତି ସ୍ବପ୍ନରେ ଭାବି ନ ଥିଲି ଯାହା ମୋ ଛାତ୍ର କରି ଦେଖାଇଛନ୍ତି। ତାଙ୍କ ପ୍ରତି ମୋ ଆଶୀର୍ବାଦ ସବୁବେଳେ ରହିବ।

Share