ବଳାତ୍କାର ଅଭିଯୋଗରେ ବନ୍ଧାହେଲେ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଆରମ୍ଭ ହେବା ପୂର୍ବରୁ କ୍ୟାରିୟର ହେଲା ଶେଷ। ବନ୍ଧାହେଲେ ଫିଲ୍ମ ନିର୍ଦ୍ଦେଶକ। ବଳାତ୍କାର ଅଭିଯୋଗରେ ମଲୟାଲମ ଫିଲ୍ମ ନିର୍ଦ୍ଦେଶକ ଲିଜୁ କ୍ରିଷ୍ଣାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ କାକିନଡା ସ୍ଥିତ ଇନ୍‌ଫୋଶପାର୍କ ଥାନାରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏଭଳି ଗୁରୁତର ଅଭିଯୋଗ ପରେ ପୋଲିସ ଲିଜୁଙ୍କୁ ନିଜ ହେପାଜତକୁ ନେଇଛି। ଗିରଫ ପରେ ତାଙ୍କ ଫିଲ୍ମ ମଧ୍ୟ ଅଟକି ଯାଇଛି।
ଲିଜୁଙ୍କୁ ରବିବାର କିନ୍ନୁର ସ୍ଥିତ ମଟ୍ଟୁନ୍ନୁର ଫିଲ୍ମର ଲୋକେଶନରୁ ଗିରଫ କରାଯାଇଛି। ଲିଜୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ କହିବା ମୁତାବକ, ଡିସେମ୍ବର ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଉକ୍ତ ନିର୍ଦ୍ଦେଶକ ଜଣକ ତାଙ୍କୁ ନିର୍ଯାତନା ଦେଉଥିଲେ।
ଦୁହିଁଙ୍କ ଦେଖାସାକ୍ଷାତ ସୋସିଆଲ ମିଡିଆ ଜରିଆରେ ହୋଇଥିଲା। ଲିଜୁ ଉକ୍ତ ମହିଳା ସହ ଲିଭଇନ୍‌ରେ ମଧ୍ୟ ରହୁଥିଲେ। ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲେ। କିନ୍ତୁ ପରେ ବିବାହ କରିବେ ନାହିଁ ବୋଲି ମନା କରିଦେଇଥିଲେ। ଏହାକୁ ନେଇ ପୀଡିତା ଥାନାର ଦ୍ୱାରସ୍ଥ ହୋଇଥିଲେ ବୋଲି କହିଛନ୍ତି। ସେପଟେ ଏହି ମାମଲାରେ ନିର୍ଦ୍ଦେଶକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Share