ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍ପି, ମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ଏଭଳି ପରାମର୍ଶ ଦେଇ ଆସୁଛନ୍ତି। ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସୁବ୍ୟବସ୍ଥିତ ହୋଇପାରିନାହିଁ। ବିଦ୍ୟାଳୟ ରହିଛି, ହେଲେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷୟିତ୍ରୀ, ଶିକ୍ଷକ ନାହାନ୍ତି। ସେହିପରି ବିଦ୍ୟାଳୟକୁ ଆସିବା ତଥା ପିଲାଙ୍କ ମଧ୍ୟରେ ପାଠପଢ଼ାରେ ଆଗ୍ରହ ସୃଷ୍ଟି ପାଇଁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପାଇଁ ଭୋଜନ ଗୃହ ତଥା ଭୋଜନାଳୟ ନିର୍ମାଣ ହୋଇପାରିନାହିଁ।
ବରଗଡ଼ ତଳିପଡ଼ାରେ ରହଥିବା ସର୍ବପୁରାତନ ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ହେଲା ଏଭଳି ସମସ୍ୟା ଲାଗି ରହିଛି। ଏହାକୁ ନେଇ ସ୍ଥାନୀୟ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ବୁଧବାର ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବିକା, ଅଭିଭାବକମାନେ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଫେରାଦ ହୋଇଥିଲେ। ଡିଇଓ ସରୋଜ ଭୁଏଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ(ଏଡିଇଓ) ଅମୃତା ସାହୁଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟାଳୟରେ ଭୋଜନ ଗୃହ ନିର୍ମାଣ ସହିତ ଆହୁରି ୨ ଜଣ ଶିକ୍ଷକ ନିଯୁକ୍ତି କରା ନ ଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଦ୍ୟାଳୟ ପରଚାଳନା କମିଟିର କର୍ମକର୍ତ୍ତା, ସଭ୍ୟାସଭ୍ୟ ଏବଂ ଅଭିଭାବିକା, ଅଭିଭାବକମାନେ ଚେତାବନୀ ଦେଇଛନ୍ତି।