ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରି କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ନୟାଗଡ଼ ରଥ ଉପରେ ଓ ତଳେ କଳାପତାକା ଲଗା ଦେଖାଇ ପ୍ରତିବାଦ କରିଛନ୍ତି ଭକ୍ତ।
ପ୍ରକାଶଯେ, ନିକଟରେ ଉପଜିଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନୟାଗଡ଼ ପୁରୁଣା ସହରରେ ବିରାଜିତ ଶ୍ରୀଜିଉଙ୍କର ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଛେରାପହଁରା କରିବାକୁ ସହକାରୀ ଦେବୋତ୍ତର କମିଶନରଙ୍କ କୋର୍ଟରୁ ଆଦେଶନାମା ପ୍ରକାଶ ପାଇଥିଲା। ମାମଲାର ଚୂଡ଼ାନ୍ତ ବିଚାର ନ ହେବା ପର୍ଯ୍ୟନ୍ତ ପ୍ରଥା ଓ ପରମ୍ପରାକୁ ବଜାୟ ରଖି ଉପଜିଲାପାଳ କାର୍ଯ୍ୟ ତୁଲାଇ ରଖିବାକୁ ନିର୍ଦ୍ଦେଶ ରହିଥିଲା। ଅନ୍ୟପକ୍ଷେ ସହକାରୀ ଦେବୋତ୍ତର କମିଶନରଙ୍କ ଦ୍ବାରା ପାରିତ ୧୮୬୨୦୨୬ ତାରିଖ ଆଦେଶ ପାଳନ କରିବାକୁ କୁହାଯାଇଥିଲା। ଛେରାପହଁରାକୁ ନେଇ ସହକାରୀ ଦେବୋତ୍ତର କମିଶନରଙ୍କ କୋର୍ଟରେ ଗୋଟିଏ ପକ୍ଷରେ ଶ୍ରୀ ଜଗନ୍ନାଥଜୀଉ ନୟାଗଡ଼ ଦେବୋତ୍ତର ବିଭାଗ। ଅନ୍ୟପକ୍ଷରେ ରାଜ ପରିବାରଙ୍କ ମଧ୍ୟରେ ରାମେଶର ପ୍ରସାଦ ସିଂ ଏବଂ ଗଜେନ୍ଦ୍ର ଚନ୍ଦ୍ର ସିଂଙ୍କ ମଧ୍ୟରେ ଓଏ ନଂ ୧୨/୧୩ ମାମଲା ବିଚାରାଧୀନ ଥିବାରୁ ସହକାରୀ ଦେବୋତ୍ତର କମିଶନରଙ୍କ କୋର୍ଟ ଏଭଳି ନିଷ୍ପଭି ନେଇଥିବା ଜଣାପଡ଼ିଛି। ଦେବୋତ୍ତର କମିଶନରଙ୍କ ଏହି ନିଷ୍ପତ୍ତି ବିରୋଧରେ ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୩ ତାରିଖରେ ଭକ୍ତମାନେ ଜନଜାଗରଣ ଶୋଭାଯାତ୍ରା କରି ବିକ୍ଷୋଭ କରିବା ସହ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। କେଉଁ କାଳରୁ ନୟାଗଡ଼ ପୁରୁଣା ସହରରେ ପ୍ରଚଳିତ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅଣଦେଖା କରା ନ ଯାଉ ବୋଲି କୁହାଯାଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ପ୍ରତିକାର ନ ହେବାରୁ ବିରୋଧ ଚାଲିଛି। ଜିଲାପାଳ ମଧୁମିତା ରଥ ବୁଝାଶୁଝା ପରେ ଛେରାପହଁରା ହୋଇଛି।