ଟେଣ୍ଡରରେ ଅନୁକମ୍ପା ନେଇ ପ୍ରତିବାଦ

ନୟାଗଡ଼ ଅଫିସ,୩୧।୧: ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବା ଟେଣ୍ଡରରେ କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ପ୍ରତିବାଦରେ ଠିକାଦାରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରି କି ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ। ଠିକାଦାରଙ୍କ ପାଟିତୁଣ୍ଡ କିଛି ସମୟ ଲାଗି ରହିବା ପରେ ଚାପା ଉତ୍ତଜନା ସୃଷ୍ଟି ହୋଇଥିଲା। ଠିକାଦାରଙ୍କୁ ବୁଝାଇବା ଅଥବା ସମସ୍ୟା କ’ଣ ପଚାରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ନ ଥିଲା। ବରଂ କର୍ମଚାରୀ ଅଫିସରେ ତାଲା ପକାଇ ଖସି ଯାଇଥିଲେ। ସୋମବାର କାର୍ଯ୍ୟ ଦିବସରେ ଅଧୀକ୍ଷଣ ଯନ୍ତ୍ରୀ ଅନୁପସ୍ଥିତ ଥିବାବେଳେ ଠିକାଦାରଙ୍କ ପ୍ରତିବାଦ ସେମାନଙ୍କୁ ପରୋକ୍ଷରେ ଘରକୁ ଚାଲିଯିବାର ସୁଯୋଗ ଦେଇଥିଲା। କିଛି ସମୟ ଅଫିସ ସମ୍ମୁଖରେ ଠିକାଦାର ହୋହାଲ୍ଲା କରି ଚାଲି ଯାଇଥିଲେ। ତେବେ ଅଫିସକୁ ପୂର୍ତ୍ତ ବିଭାଗର କର୍ମଚାରୀ ଫେରି ନ ଥିଲେ। ଅପରପକ୍ଷେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କ’ଣ ହେଉଛି, ଅଫିସ ଖୋଲୁଛି କି ନାହିଁ ଅଧୀକ୍ଷଣ ଯନ୍ତ୍ରୀ ନ ଜାଣିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପୁଣି ବିଭିନ୍ନ ସମୟରେ କ୍ଷେତ୍ର ପାରିଦର୍ଶନର ବାହାନାରେ ଅଫିସରମାନେ ଅନୁପସ୍ଥିତ ରହିବା ଅନୁରୂପ ଭାବେ ଅସନ୍ତୋଷ ସୃଷ୍ଟି କରିଛି। ଏ ନେଇ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସନ୍ତୋଷ ପାତ୍ରଙ୍କୁ ପଚାରିବାରେ ସେମାବାର କ୍ଷେତ୍ର ପରିଦର୍ଶନ ଥିବାରୁ କାର୍ଯ୍ୟାଳୟକୁ ଯାଇ ପାରି ନ ଥିଲି। ଠିକଦାରଙ୍କ ପାଟିତୁଣ୍ଡ ଓ କାର୍ଯ୍ୟାଳୟରେ ତାଲା ପଡିବା ନେଇ କିଛି ଜାଣିନି। ମଙ୍ଗଳବାର କାର୍ଯ୍ୟାଳୟକୁ ଯିବା ପରେ ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ନୟାଗଡ଼ର ଦାମଦୋର ଓଝା କୁହନ୍ତି, ସୋମବାର ମୋର ଏକ କାର୍ଯ୍ୟ ନେଇ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲି। କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ପାଇଲି। ଏଣୁ ସ୍ଥାନୀୟ ଅଞ୍ଚଳରେ ପଚରାଉଚୁରା କରି ଘରକୁ ଫେରିଲି। ପରେ ଜାଣିବାକୁ ପାଇଲି ଠିକାଦାରଙ୍କ ଆନ୍ଦୋଳନକୁ ଭୟ କରି ଅଫିସରେ ତାଲା ଝୁଲାଇ ଦିଆଯାଇଛି।