ଡେପୁଟି ସୁପରିଟେଣ୍ଡେଣ୍ଟ୍‌ଙ୍କୁ ମାଡ଼ ମାରି ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ଫେରାର

ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ବିଲା ରାମଚନ୍ଦ୍ରପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଶନିବାର ଇତିହାସ ଭୂଗୋଳ ପରୀକ୍ଷା ସରିବା ପରେ କପିକୁ ପ୍ରଶୟ ନ ଦେବାରୁ ସେଣ୍ଟରର ଡେପୁଟି ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ସାହୁଙ୍କୁ ବିଦ୍ୟାଳୟ ସମ୍ମୁଖ ଗେଟ ନିକଟରେ ମାଡ଼ ମାରିବା ଘଟଣାରେ ତୁରୁମୁଙ୍ଗା ପୋଲିସ ସୋମବାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହଉଛନ୍ତି ସାହାରପଡ଼ା ବ୍ଲକ ବାଇକଳା ପଞ୍ଚାୟତ ଲୁଙ୍ଗା ଗ୍ରାମର ଅଜିତ କୁମାର ବାରିକ(୩୫)।

ସୂଚନାଯୋଗ୍ୟ, ଡେପୁଟି ସୁପରିଟେଣ୍ଡେଣ୍ଟ ପରୀକ୍ଷା ପରେ ଘରକୁ ଫେରୁଥିବା ବେଳେ ୩ ଜଣ ଆସି ତାଙ୍କୁ କପି କାହିଁକି କରିବାକୁ ସୁଯୋଗ ଦେଉନ କହି ବିଧା ଗୋଇଠା ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଆଜି ଗିରଫ ହୋଇଥିବା ବେଳେ ଅନ୍ୟ ୨ ସହଯୋଗୀ ଫେରାର ଥିବା ପୋଲିସ କହିଛି। ଏନେଇ ତୁରୁମୁଙ୍ଗା ଥାନାରେ ୬୮ /୨୨ ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ମଦନ ମୋହନ ନାଏକ କହିଛନ୍ତି।