ଏଣିକି ପରିମଳ ଦାୟିତ୍ୱ ବୁଝିବେ ଡେପୁଟି କମିଶନର

କଟକ ଅଫିସ, ୨୧ା୧: ଏଣିକି ସହରର ପରିମଳ ଦାୟିତ୍ୱ ବୁଝିବେ କଟକ ମହାନଗର ନିଗମ(ସିଏମ୍‌ସି)ର ଡେପୁଟି କମିଶନର। ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ରଙ୍କୁ ଏହି ଦାୟିତ୍ୱରୁ ହଟାଯାଇ ଡେପୁଟି କମିଶନର (ପରିମଳ) ସଞ୍ଜୀବିତା ରାୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଡେପୁଟି କମିଶନରଙ୍କ ଅଧୀନରେ ସମସ୍ତ ପରିମଳ ନିରୀକ୍ଷକ ବା ମଲ୍ଟିପର୍ପସ ହେଲ୍‌ଥ ୱାର୍କର୍ସ (ଏମପିଏଚଏସ)ମାନେ କାର୍ଯ୍ୟ କରିବେ। ପରିମଳ ନିରୀକ୍ଷକମାନେ ସେମାନଙ୍କ କାର୍ଯ୍ୟର ରିପୋର୍ଟ ଡେପୁଟି କମିଶନରଙ୍କୁ ଦେବେ। ଯଦି ଡେପୁଟି କମିଶନର ଉକ୍ତ ରିପୋର୍ଟ ସନ୍ତୋଷଜନକ ବୋଲି ୱାର୍କ ସାର୍ଟିଫିକେଟ୍‌ ଦେବେ ତେବେ ସେମାନଙ୍କୁ ଦରମା ମିଳିବ। ନଚେତ ଦରମା ବନ୍ଦ କରାଯିବ। ଏନେଇ ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ସତ୍ୟବ୍ରତ ଛୋଟରାୟଙ୍କୁ ଚିଠି ଲେଖିବା ସହିତ ଡେପୁଟି କମିଶନରଙ୍କୁ ପରିମଳ ଦାୟିତ୍ୱ ଦିଆଯାଇଥିବା ଶୁକ୍ରବାର ସୂଚନା ମିଳିଛି।
ସହରର ପରିମଳ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସିଏମ୍‌ସି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ସଫେଇ କାର୍ଯ୍ୟର ଉପଯୁକ୍ତ ତଦାରଖ ହେଉ ନ ଥିବାରୁ ସୁଫଳ ମିଳୁନି। ସଫେଇ କାର୍ଯ୍ୟ ତଦାରଖ ପାଇଁ ସିଏମ୍‌ସିରେ ୧୬ ଜଣ ପରିମଳ ନିରୀକ୍ଷକ ଅଛନ୍ତି। ହେଲେ ସେମାନେ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ସେମାନେ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ରହୁଥିବାରୁ ସିଏମ୍‌ସି ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। କ୍ରମାଗତ ଭାବେ ଏଭଳି ହେବା ପରେ ଶେଷରେ କମିଶନର ସିଡିଏମଓଙ୍କୁ ଚିଠି ଲେଖି ପରିମଳ ନିରୀକ୍ଷକମାନଙ୍କ ଦରମା ସନ୍ତୋଷଜନକ ୱାର୍କ ସାର୍ଟିଫିକେଟ୍‌ ପ୍ରଦାନ ପରେ ଇସ୍ୟୁ କରିବାକୁ କହିଛନ୍ତି। ଅପରପକ୍ଷରେ ସ୍ବାସ୍ଥ୍ୟ ଅଧିକାରୀ କେବଳ ଜନସ୍ବାସ୍ଥ୍ୟ ଯଥା ମଶା ନିୟନ୍ତ୍ରଣ, ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟ ବୁଝିବେ।