ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଡେପୁଟୀ କଲେକ୍ଟର ଗିରଫ

ଲଖନପୁର,୨୯।୯(ଡି.ଏନ.ଏ): ସ୍ତ୍ରୀଙ୍କୂୁ ନିର୍ଯାତନା ଦେବା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଶରତ କୁମାର ବାଗଙ୍କୁ ଝାରସୁଗୁଡା ଟାଉନ ଥାନା ପୋଲିସ ଗିରଫ କରିଛି। ଏହାପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ କୈଳାଶ ଆଚାର୍ଯ୍ୟ କହିଛନ୍ତି। ଗତ ୨୬ରେ ଶରତ ବାଗଙ୍କ ସ୍ତ୍ରୀ ଡଲିଆ ଦେବନାଥ ବିଟିଏମ୍‌ ପାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ଦୀର୍ଘବର୍ଷ ହେଲାଣି ତାଙ୍କ ସ୍ବାମୀ ଅନ୍ୟଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ତାଙ୍କୁ ନିର୍ଯାତନା ଦେଉଥିଲେ। ଏଭଳି ସ୍ଥିତିରେ ଶରତ ସମ୍ପୃକ୍ତ ମହିଳାଙ୍କୁ ଭେଟିବା ପାଇଁ ଗତ ଶନିବାର ଝାରସୁଗୁଡା ଆସିଥିଲେ। ଏହାଜାଣି ଡଲିଆ ତାଙ୍କ ପିଛା କରି ସେଠାରେ ପହଞ୍ଚିଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶରତ କିଛି ବ୍ୟକ୍ତିଙ୍କ ସହ ମିଶି ଡଳିଆଙ୍କୁ ମାରପିଟ କରିଥିଲେ। ଏଥିରେ ସେ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ଆସି ସ୍ବାମୀଙ୍କ ନାଁରେ ବିଟିଏମ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।