‘ଟମାଟୋ ଫ୍ଲୁ’କୁ ନେଇ ସ୍ବାସ୍ଥ୍ୟ ବିଭାଗ ସଜାଗ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟର କିଛି ସ୍ଥାନରେ ଶିଶୁମାନେ ଟମାଟୋ ଫ୍ଲୁରେ ସଂକ୍ରମିତ ହେଉଥିବା ସୂଚନା ମିଳିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଛି। ଏନେଇ ପ୍ରତିକ୍ରିୟା ରଖି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏହା ଏକ ଭାଇରାଲ ରୋଗ । ଏହି ରୋଗ ହେଲେ ପିଲାଙ୍କ ଦେହ ସାରା ଫଳିଯିବା ସହ ଜ୍ୱର ହେବ। ପିଲାମାନେ ଖାଇବେ ନାହିଁ ଓ ବାନ୍ତି ହେବ ବୋଲି ସେ କହିଛନ୍ତି।

ଏହାଛଡ଼ାରାଜ୍ୟରେ କେତେ କେସ ରହିଛି ତାହା ଜାଣିବା ପାଇଁ ସବୁ ମେଡିକାଲ କଲେଜକୁ ରିପୋର୍ଟ ମଗାଯାଇଛି ବୋଲି ନିରଞ୍ଜନ କହିଛନ୍ତି। ତେବେ ଆର୍‌ଏମ୍‌ଆର୍‌ସି ଏହି ଭାଇରାଲ ଭାଇରସର ଡିଟେକଶନ କରିବ । ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରି ଆର୍‌ଏମ୍‌ଆର୍‌ସିକୁ ପଠାଯିବ । ଜିଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ଏ ନେଇ ସ୍ବାସ୍ଥ୍ୟ ବିଭାଗ ଆଲୋଚନା କରିଛି। ଜିଲା ଚିକିତ୍ସାଳୟଗୁଡିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠେଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।