ବିମୁଦ୍ରୀକରଣ ନିଷ୍ପତ୍ତି ବୈଧ, କିନ୍ତୁ ଜନବିରୋଧୀ

ଭାଲଚନ୍ଦ୍ର ଷଡ଼ଙ୍ଗୀ

କେନ୍ଦ୍ରର ମୋଦି ସରକାରଙ୍କ ବହୁଚର୍ଚ୍ଚିତ ବିମୁଦ୍ରୀକରଣକୁ ନେଇ ଇତିମଧ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତିକୁ ବିରୋଧକରି ଦେଶର ବିଭିନ୍ନ କୋର୍ଟରେ ଦାୟର ୫୮ଟି ପିଟିଶନକୁ ବିଚାରକରି ସୁପ୍ରିମକୋର୍ଟଙ୍କ ଏକ ୫ଜଣିଆ ସାମ୍ବିଧାନିକ ପୀଠ ସଂଖ୍ୟାଗରିଷ୍ଠ ମତରେ ଏହାର ପ୍ରକ୍ରିୟାକୁ ବୈଧ ବା ନିୟମ ସମ୍ମତ ବୋଲି କହିଛନ୍ତି। କିନ୍ତୁ ଖଣ୍ଡପୀଠର ଅନ୍ୟତମ ସଦସ୍ୟା ବିଚାରପତି ବି.ବି. ନାଗରତ୍ନା ନିଜର ଅସହମତି ପ୍ରକାଶ କରି ସରକାରଙ୍କ ନିଷ୍ପତ୍ତିକୁ ବେଆଇନ ବୋଲି କହିଛନ୍ତି। ସେ କହିଛନ୍ତି, ବିମୁଦ୍ରୀକରଣ କେନ୍ଦ୍ର ସରକାରଙ୍କ ଏକତରଫା ନିଷ୍ପତ୍ତି। ତେବେ ଦୀର୍ଘ ୬ବର୍ଷ ପରେ ଆସିଥିବା କୋର୍ଟଙ୍କ ଏହି ରାୟ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ପ୍ରକ୍ରିୟାର ପରିଣାମ ତଥା ଦେଶର ଅର୍ଥନୀତି ଓ ସାଧାରଣ ଜନତାଙ୍କ ଉପରେ ତା’ର ପ୍ରଭାବକୁ ନେଇ ଏକଦମ୍‌ ଚୁପ୍‌ ରହିଛି।
୮ ନଭେମ୍ବର ୨୦୧୬ ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତରବରିଆ ଭାବେ ବିମୁଦ୍ରୀକରଣ ଘୋଷଣା କରିଥିଲେ। ଫଳରେ ମାତ୍ର ୪ଘଣ୍ଟା ମଧ୍ୟରେ ଦେଶର ମୁଦ୍ରା ବଜାରରେ ପ୍ରଚଳିତ ୫ ଶହ ଓ ୧୦୦୦ ଟଙ୍କିଆ ନୋଟ୍‌ର ବିମୁଦ୍ରୀକରଣ ବା ମୂଲ୍ୟ ପ୍ରତ୍ୟାହାର କରାଯାଇଥିଲା। ଦେଶର ମୋଟ ନଗଦ ନୋଟ୍‌ର ୮୬ %କୁ ବୁଝାଉଥିବା ଏହି ୨ଟି ନୋଟ୍‌କୁ ଅଚଳ କରିବାକୁ ସରକାରଙ୍କ ଅପ୍ରତ୍ୟାଶିତ ନିଷ୍ପତ୍ତି ଫଳରେ ଦେଶବ୍ୟାପୀ ନଗଦ ଟଙ୍କାର ଘୋର ସଙ୍କଟ ଦେଖାଦେଇଥିଲା। ସାଧାରଣ ଲୋକେ ମାସ ମାସ ଧରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ବିମୁଦ୍ରୀକରଣ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶରୁ ଜାଲ୍‌ନୋଟ୍‌କୁ ସମାପ୍ତ କରିବା, ଦେଶରେ ଥିବା ସବୁ କଳାଧନ ଜବତ କରିବା ଏବଂ ଆତଙ୍କବାଦୀଙ୍କ ଆର୍ଥିକ ସ୍ରୋତକୁ ଧ୍ୱଂସକରିବା ହେଉଛି ଏହାର ଏକମାତ୍ର ଉଦ୍ଦେଶ୍ୟ। କିନ୍ତୁ ପରେ ସରକାର ନିଜର ଲକ୍ଷ୍ୟବିନ୍ଦୁ ବା ଗୋଲପୋଷ୍ଟକୁ ବଦଳାଇ ସୁପ୍ରିମକୋର୍ଟରେ ଦେଇଥିବା ସତ୍ୟପାଠରେ ବିମୁଦ୍ରୀକରଣର ଉଦ୍ଦେଶ୍ୟଟି ଦେଶରେ ନଗଦବିହୀନ ଦେଣନେଣ (Cashless Transaction) ବ୍ୟବସ୍ଥା ଲାଗୁ କରିବା ବୋଲି କହିଥିଲେ। ପରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏକ ସାକ୍ଷାତ୍‌କାରରେ କମ୍‌ ନଗଦ ଅର୍ଥନୀତି କରିବା ବିମୁଦ୍ରୀକରଣର ଉଦ୍ଦେଶ୍ୟ ଥିଲା ବୋଲି କହିଥିଲେ। ତେବେ ସରକାର ନିଜର ଅବିବେକିତାପୂର୍ଣ୍ଣ ନିଷ୍ପତ୍ତିକୁ ନ୍ୟାୟସଙ୍ଗତ ପ୍ରମାଣିତ କରିବା ପାଇଁ ଏପରି ବାରମ୍ବାର ଗୋଲପୋଷ୍ଟ ବଦଳାଇବା ସତ୍ତ୍ୱେ ଗତ ଏକ ବର୍ଷ ମଧ୍ୟରେ କୌଣସି ଉଦ୍ଦେଶ୍ୟରେ ସଫଳ ହୋଇନାହାନ୍ତି। ବିମୁଦ୍ରୀକରଣ ଫଳରେ ଦେଶରେ ଜାଲ୍‌ନୋଟ୍‌ର କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଦାବି କରାଯାଇଥିବା ବେଳେ ତାହା କିନ୍ତୁ ଓଲଟା ପ୍ରମାଣିତ ହୋଇଛି।
ପ୍ରଧାନମନ୍ତ୍ରୀ କହିଥିଲେ, ବିମୁଦ୍ରୀକରଣ ଘୋଷଣା ପରେ କଳାଟଙ୍କା ରଖିଥିବା ଲୋକଙ୍କ ପାଖରେ ରହିଥିବା ନୋଟ୍‌ ସବୁ ରଦ୍ଦି କାଗଜରେ ପରିଣତ ହୋଇଯିବ। ସେମାନେ ନିଜର କଳାଧନକୁ ବ୍ୟାଙ୍କରେ ଜମା ନ କରିପାରିବା ଫଳରେ ଅର୍ଥ ବ୍ୟବସ୍ଥାରୁ କଳାଟଙ୍କା ବାହାରିଯିବ। କିନ୍ତୁ ବିମୁଦ୍ରୀକରଣର ୬ମାସ ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ଦେଇଥିବା ତଥ୍ୟ ସରକାରଙ୍କ ଏହି ଯୁକ୍ତିକୁ ନିରାଧାର ପ୍ରମାଣିତ କରିଛି। ଆର୍‌ବିଆଇ ତା’ର ୨୦୧୬-୧୭ ବାର୍ଷିକ ରିପୋର୍ଟରେ କହିଛି ଯେ ଅଚଳ ହୋଇଥିବା ମୋଟ ୧୫.୪୪ ଲକ୍ଷ କୋଟି ଟଙ୍କାର ନୋଟ୍‌ ମଧ୍ୟରୁ ୯୮.୯୬% ବ୍ୟାଙ୍କକୁ ଫେରିଆସିଛି। ଯଦି କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ଜମା ଅଚଳ ନୋଟ୍‌କୁ ହିସାବ କରାଯିବ ତା’ହେଲେ ଏହାର ପରିମାଣ ଆହୁରି ଅଧିକ ହେବ। କହିବାକୁ ଗଲେ ବିମୁଦ୍ରୀକରଣ ଫଳରେ କଳାଟଙ୍କା ଅଚଳ ହେବା ପରିବର୍ତ୍ତେ ତାହା ବ୍ୟାଙ୍କ୍‌କୁ ଯାଇ ଧଳା ହୋଇଯାଇଛି।
ଦେଶରେ ନଗଦବିହୀନ ଦେଣନେଣ ଅଥବା କମ୍‌ ନଗଦ ଦେଣନେଣକୁ ଲାଗୁ କରିବାରେ ଆର୍‌ବିଆଇ ନିଷ୍ପତ୍ତି ସମ୍ପୂର୍ଣ୍ଣ ବିଫଳ ହୋଇଛି। ନୋଟ୍‌ ଅଚଳର ମାତ୍ର କିଛି ମାସ ନଗଦ ଟଙ୍କାର ଅଭାବ ଯୋଗୁ ଦେଶରେ ନଗଦବିହୀନ ଦେଣନେଣର ପରିମାଣରେ ହୋଇଥିବା ସାମାନ୍ୟ ବୃଦ୍ଧି ପରେ ବଜାରରେ ନଗଦ ଟଙ୍କା ଉପଲବ୍ଧ ହେବାରୁ ପୂର୍ବାବସ୍ଥାକୁ ଫେରିଛି। ଖୋଦ୍‌ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ୨୦୧୮ ସୁଦ୍ଧା ବଜାରରେ ଉପଲବ୍ଧ ନଗଦର ପରିମାଣ ବିମୁଦ୍ରୀକରଣ ସମୟଠାରୁ ଅଧିକ ହୋଇଥିବା ବେଳେ ୨୦୨୧ ବେଳକୁ ତାହା ପୂର୍ବାପେକ୍ଷା ୬୪% ଅଧିକ ହୋଇଥିବା ଜଣାପଡ଼ିଛି। ନୋଟ୍‌ ଅଚଳ ହେଲେ ଦେଶରେ ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପ ବନ୍ଦ ହୋଇଯିବ ବୋଲି ସରକାରଙ୍କ ପ୍ରଚାର ମଧ୍ୟ ମିଥ୍ୟା ପ୍ରମାଣିତ ହୋଇଛି।
ଦେଶରେ କଳାଧନ ଉପରେ ମୋଦି ସରକାରଙ୍କ ଏହି ତଥାକଥିତ ସର୍ଜିକାଲ ଷ୍ଟ୍ରାଇକ୍‌ର ଇତିମଧ୍ୟରେ ୬ବର୍ଷ ପୂରଣ ହୋଇଛି। ମାତ୍ର ୫୦ ଦିନରେ ସୁଫଳ ଆଣିଦେବାକୁ ମୋଦିଙ୍କ ଦୃଢ଼ ପ୍ରତିଶ୍ରୁତି ଶେଷରେ ପାଣିରେ ଗାର ସଦୃଶ ପ୍ରମାଣିତ ହୋଇଛି। ତେବେ ଗୋଟିଏ କଥା ସ୍ପଷ୍ଟ ଯେ ସରକାରଙ୍କ ଏହି ଅଦୂରଦର୍ଶୀ ପଦକ୍ଷେପ କେବଳ ତା’ର ଘୋଷିତ ଲକ୍ଷ୍ୟକୁ ହାସଲ କରିବାରେ ବିଫଳ ହୋଇନାହିଁ ବରଂ ଦେଶର ଅର୍ଥନୀତି ପାଇଁ ସମ୍ପୂର୍ଣ୍ଣ ରୂପେ ବିଧ୍ୱଂସକାରୀ ପ୍ରମାଣିତ ହୋଇଛି। ନଗଦ ଟଙ୍କା ଅଭାବରୁ ମାସ ମାସ ଧରି ଦେଶରେ ବଜାର ଓ କାରବାର ମାନ୍ଦା ହୋଇଯିବା ସହ କୃଷି ଓ ଶିଳ୍ପ କ୍ଷେତ୍ର ଭୟଙ୍କର ମାନ୍ଦାବସ୍ଥାର ଶିକାର ହୋଇଛି। ଦେଶର ଶ୍ରମଶକ୍ତିର ୯୪%କୁ ବୁଝାଉଥିବା ଅସଙ୍ଗଠିତ କ୍ଷେତ୍ରର ଶ୍ରମିକମାନେ ଏଥିରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲେ। ମାସ ମାସ ଧରି ଛୋଟ ଛୋଟ ଶିଳ୍ପ ଓ ବ୍ୟବସାୟ ବନ୍ଦହେବା ଫଳରେ ସେମାନେ ରୋଜଗାର ହରାଇଥିଲେ। ବୋଧହୁଏ ଏହିସବୁ କାରଣରୁ ହିଁ ବିମୁଦ୍ରୀକରଣକୁ ନେଇ ଆରମ୍ଭରେ ବଡ଼ ବଡ଼ ଦାବି କରିଥିବା ସରକାର ପରବର୍ତ୍ତୀ ସମୟରେ ଏନେଇ ଚୁପ୍‌ ରହିବା ଦେଖିବାକୁ ମିଳିଥିଲା। ବିମୁଦ୍ରୀକରଣର ପ୍ରଥମ ବାର୍ଷିକୀକୁ କଳାଧନ ବିରୋଧୀ ଦିବସ ରୂପେ ପାଳନ କରିଥିବା ମୋଦି ସରକାର ପରବର୍ତ୍ତୀ ବର୍ଷଗୁଡ଼ିକରେ ତାକୁ ଭୁଲିଯିବାକୁ ବାଧ୍ୟହୋଇଥିଲେ।
ବିମୁଦ୍ରୀକରଣ ସମ୍ପର୍କରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ସଦ୍ୟତମ ରାୟ ଏନେଇ ପୁଣି ଥରେ ବିତର୍କକୁ ଜନ୍ମ ଦେଇଛି। ଶାସକ ଭାଜପାର ନେତାମାନେ ଏହାକୁ ନିଜ ନିଷ୍ପତ୍ତିର ବିଜୟ ବୋଲି ଦାବି କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ରାୟ କେବଳ ବିମୁଦ୍ରୀକରଣ ପାଇଁ ସରକାର ନେଇଥିବା ପ୍ରକ୍ରିୟାକୁ ହିଁ ବୈଧ ବୋଲି କହିଛି। ଅର୍ଥାତ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ମୁତାବକ ସରକାର ଦେଶରେ ବିମୁଦ୍ରୀକରଣ କରିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ ବୋଲି କହିଛନ୍ତି। ତେବେ ବିମୁଦ୍ରୀକରଣ ପାଇଁ ସରକାର ନେଇଥିବା ପ୍ରକ୍ରିୟାଟି କେତେ ଠିକ୍‌ ଥିଲା, ତାହା ସରକାରଙ୍କ ଦଲିଲରୁ ସ୍ପଷ୍ଟ ହୋଇଛି। କେନ୍ଦ୍ର ସରକାର ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଦଲିଲରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମାତ୍ର ୨୪ଘଣ୍ଟା ମଧ୍ୟରେ ନେଇଥିବା ଜଣାପଡ଼ିଛି। ତେବେ ମୁଖ୍ୟ ପ୍ରଶ୍ନଟି ସରକାର ଆପଣେଇଥିବା ପ୍ରକ୍ରିୟା ନୁହେଁ, ବରଂ ଏହାର ପରିଣାମ ବା ନିଷ୍ପତ୍ତିର ଯଥାର୍ଥତାକୁ ନେଇ ରହିଛି। ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଏଭଳି ଏକ ତରବରିଆ ଘୋଷଣା କଲେ, ତାହା କେତେଦୂର ସଫଳ ହେଲା, ସେନେଇ କୋର୍ଟ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏପରିକି ସରକାର କୋର୍ଟରେ ବିମୁଦ୍ରୀକରଣ ପ୍ରକ୍ରିୟାକୁ ନେଇ ଅନେକ ଯୁକ୍ତି ରଖିଥିବା ବେଳେ ଏହାଦ୍ୱାରା ଦେଶର ଅର୍ଥନୀତିର ଓ ସାଧାରଣ ଜନତାଙ୍କ କେତେ କ୍ଷତି ହୋଇଥିଲା, ନିଜର ଘୋଷିତ ତଥାକଥିତ ଲକ୍ଷ୍ୟଗୁଡ଼ିକୁ ହାସଲ କରିବାରେ ସରକାର କେତେଦୂର ସଫଳ ହେଲେ, ସେନେଇ ଚୁପ୍‌ ରହିବା ଦେଖିବାକୁ ମିଳିଛି।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri