ବଢୁଛି ହଳଦୀପତ୍ରର ଚାହିଦା, ମିଳୁନି ସଠିକ୍‌ ଦର

ଦାରିଙ୍ଗବାଡ଼ି,୧୧ା୧୧(ଡି.ଏନ୍‌.ଏ.): ଆସନ୍ତା ବୁଧବାର ପାଳନ ହେବ ପ୍ରଥମାଷ୍ଟମୀ। ଏହି ପର୍ବ ଓଡ଼ିଶାରେ ବଡ଼ ଧୂମଧାମରେ ପାଳନ ହେଉଥିବା ବେଳେ ବିଶେଷକରି ଭୁବନେଶ୍ୱର, କଟକ, ବାଲେଶ୍ୱର ସମେତ ବିଭିନ୍ନ ଜିଲାରେ ପାଳନ କରାଯାଉଛି। ତେବେ ଏହି ପର୍ବ ପାଳନ ଅବସରରେ ପିଠା ପ୍ରସ୍ତୁତ ପାଇଁ ହଳଦୀପତ୍ରର ଆବଶ୍ୟକ ରହିଛି। ହଳଦୀପତ୍ରରେ ପ୍ରସ୍ତୁତି ପିଠା ଦେହ ପାଇଁ ସ୍ବାସ୍ଥ୍ୟକର ହୋଇଥିବା ବେଳେ କନ୍ଧମାଳ ହଳଦୀର ଚାହିଦା ରହିଛି। ହଳଦୀ କ୍ୟାନ୍ସର ଭଳି ରୋଗକୁ ମଧ୍ୟ ପ୍ରତିହତ କରିବାର ଦକ୍ଷତା ରହିଛି ବୋଲି କୁହାଯାଏ। ସେହିପରି ହଳଦୀପତ୍ରରେ ପ୍ରସ୍ତୁତି ସମସ୍ତ ବ୍ୟଞ୍ଜନ ଅତି ସ୍ବାଦିଷ୍ଟ ହୋଇଥାଏ। ତେବେ ହଳଦୀପତ୍ରର ଦର ଅତି ଶସ୍ତା ଦରରେ ଚାଷୀ ବିକ୍ରି କରୁଛନ୍ତି ଏହି ଅଭାବୀ ବିକ୍ରିକୁ ନେଇ ଚାଷୀ ଚିନ୍ତାରେ। ଦାରିଙ୍ଗବାଡ଼ି, ରାଇକିଆ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ସେ ଏକା ଦର ରହୁଛ। ୧ଶହ ପତ୍ରକୁ ଏକ ବିଡ଼ା ବନ୍ଧାଯାଉଛି ଏବଂ ଏହି ପତ୍ରକୁ ଦଲାଲମାନେ ମାତ୍ର ୧୫ରୁ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାକୁ ଦଲାଲମାନେ ବାହାର ଜିଲାକୁ ନେଇ ଚଢ଼ା ଦରରେ ବିକ୍ରି କରି ଲାଭବାନ ହେଉଥିବା ବେଳେ କନ୍ଧମାଳ ଚାଷୀ ନିଜ ଚାଷ ଜମିରେ ପରିଶ୍ରମ କରି ମଧ୍ୟ ଦିନକୁ ମାତ୍ର ୨ ଶହରୁ ୩ ଶହ ଟଙ୍କା ରୋଜଗାର କରୁଛନ୍ତି। ସରକାର ଏହାର ଦର ଧାର୍ଯ୍ୟ କରିବା ଜରୁରୀ ବୋଲି କିଛି ଚାଷୀ କହିଛନ୍ତି। ଏହା ଦ୍ୱାରା ଚାଷୀ ଏହି ପତ୍ରକୁ ସଠିକ୍‌ ଦରରେ ବିକ୍ରି କରି ନିଜ ପରିବାର ଚଳାଇବା ସୁବିଧା ରହିବ ବୋଲି ମତ ପ୍ରକାଶ ପାଇଛି।