ଶ୍ରାବଣରେ ବଢୁଛି କେତକୀ ଫୁଲର ଚାହିଦା

ମହାକାଳପଡ଼ା,୧୬।୭(ପ୍ରତାପ ଚନ୍ଦ୍ର ସ୍ବାଇଁ)ଶ୍ରାବଣ ମାସରେ ମହାଦେବଙ୍କ ମସ୍ତକରେ ଜଳଲାଗି ସହିତ କେତକୀ ଫୁଲର ଚଢ଼ାଇବାର ବିଧି ରହିଛି। କେତକୀ ଫୁଲ ମହାଦେବଙ୍କ ମସ୍ତକରେ ଲାଗି କଲେ କୋଟି ଜନ୍ମର ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଦିନ ଥିଲା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦୋରସା, ବାଲିଆ ଢିପ ଓ ସ୍ତୂପ ଉପରେ ପ୍ରଚୁର ପରିମାଣରେ କିଆ ଗଛ ଦେଖିବାକୁ ମିଳୁଥିଲା। ପରବର୍ତ୍ତୀ ସମୟରେ ସେହି ଅଞ୍ଚଳରେ ଜନବସତି ଗଢ଼ି ଉଠିବା ଫଳରେ କିଆ ଗଛର ସଂଖ୍ୟା କମିଛି ା ଏବେ ସେଠାରେ ଅଳ୍ପ କିଆ ଗଛ ଦେଖିବାକୁ ମିଳୁଛି। ବିଶେଷକରି କିଆ ଗଛର ଅଣ୍ଡିରା ଫୁଲରୁ ଅତର ପ୍ରସ୍ତୁତ ହୋଇଥାଏ। ଏହି ଫୁଲ ଫୁଟିବାର ୪ ଘଣ୍ଟା ପୂର୍ବରୁ ଯତ୍ନ ସହକାରେ ଏକ ମାଟି ପାତ୍ରରେ ଘୋଡ଼ାଇ ରଖାଯାଏ। ପରେ ବ୍ୟବସାୟୀମାନେ କମ ଦରରେ ସ୍ଥାନୀୟ ଲୋକମାନଙ୍କଠାରୁ କେତେକୀ ଫୁଲ ସଂଗ୍ରହ କରିଥାନ୍ତି। ବିଶେଷ କରି କେତକୀ ଫୁଲ ଗଞ୍ଜାମ, ଢେଙ୍କାନାଳ, ବାଲେଶ୍ୱର, ପୁରୀ, ନୟାଗଡ଼ ଆଦି ଅଞ୍ଚଳକୁ ପଠାଯାଇଥାଏ। ବ୍ୟବସାୟୀମାନେ ଆସି କମ୍‌ ଦରରେ କେତକୀ ଫୁଲ କିଣି ଚଢ଼ା ଦରରେ ଅନ୍ୟ ଅଞ୍ଚଳକୁ ପଠାଇ ଥାଆନ୍ତି ା ଏହି ଫୁଲରୁ ଅତର ପ୍ରସ୍ତୁତ ପରେ ଖଇର, ସୁଗନ୍ଧ ଧୂପ ଓ ଅଗରବତି ପ୍ରସ୍ତୁତ କରାଯାଇଥାଏ।
ମହାକାଳପଡ଼ା ବ୍ଲକର ଆଖଡ଼ାଶାଳୀ, ସାବିନୀ, ମହୁଲକନ୍ଧା, ନଳଗୋଠ, ପିତାପାଟ, ବରକ ବହାକୁଦ, ଶିଖର, ବାଙ୍କିଛନ୍ଦା, ବିଜୟନଗର, ରାମନଗର, ରାଜେନ୍ଦ୍ର ନଗର, ପଲ୍ଲୀଗଡ଼, ହରିଆବାଙ୍କ, ବାଲିଢିପ, ଜମ୍ବୁ, ରାମଚଣ୍ଡୀ ଆଦି ସ୍ଥାନରେ ବ୍ୟାପକ ପରିମାଣରେ କିଆ ଜଙ୍ଗଲ ଦେଖିବାକୁ ମିଳୁଥିଲା । ଅଦ୍ୟାବଧି ପୂର୍ବ ଅପେକ୍ଷା କେତେକ ସ୍ଥାନରେ କିଆ ଗଛ ଦେଖିବାକୁ ମିଳୁଛି ବୋଲି ସାମାଜିକ କର୍ମୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି।