ଗ୍ରୀଷ୍ମରେ ବଢୁଛି ତାଳସଜର ଚାହିଦା

ନୂଆପଡ଼ା ଅଫିସ,୨୦।୫: ନୂଆପଡା ଜିଲାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅଗ୍ନି ବର୍ଷା ହେଉଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ପ୍ରଚଣ୍ଡ ରୋଦ୍ରତାପରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ ଜଳ, ସରବତ, ଲସି ଓ ତରଭୁଜ ଇତ୍ୟାଦି ଦୋକାନରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ତାଳସଜ ପସରାରେ ମଧ୍ୟ ଲୋକଙ୍କ ଭିଡ ରହିଥିବା ଦେଖିବାକୁ ମିଲିଛି। ତାଳସଜ ଖାଇ ଲୋକେ ବେଶ ଖୁସି ଅନୁଭବ କରୁଛନ୍ତି। ନୁଆପଡା ସଦର ମହକୁମାଠାରୁ ୨ କି.ମି. ଦୂର ଖରିଆର ରୋଡ-ରାୟପୁର ୩୫୩ ନମ୍ବର ଜାତୀୟ ରାଜପଥ କଡରେ ସିଲଧା ଗାଁଠାରେ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ତାଳସଜର ପସରା ଲାଗିଥାଏ। ପଥଚାରୀ ଓ ଗାଡି ମୋଟରରେ ଯାଉଥିବା ଯାତ୍ରୀମାନେ ତାଳସଜ ଖାଇ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଥାନ୍ତି। ବର୍ଷକରେ ଥରେ ମିଳୁଛି ଓ ଏହା ପ୍ରାକୃତିକ ଫଳ ହୋଇଥିବାରୁ ଲୋକେ ବେଶ ପସନ୍ଦ କରିଥାନ୍ତି। ତାଳସଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ସାଙ୍ଗକୁ ପେଟ ସଫା ରହେ ବୋଲି ପଥଚାରୀମାନେ କହନ୍ତି। ସୀମାରେ ରହିଥିବାରୁ ଛତିଶଗଡର ଲୋକେ ତାଳସଜ ଖାଇବା ପାଇଁ ଆସୁଛନ୍ତି। ଏହି ରାସ୍ତା ଦେଇ ଅଧିକାଂଶ ଲୋକେ ଜିଲାର ବାଣିଜ୍ୟ କେନ୍ଦ୍ର ଖରିଆର ରୋଡ ଓ ରାୟପୁର ଯାଉଥିବାରୁ ତାଳସଜର ଚାହିଦା ଅଧିକ ବଢିବାରେ ଲାଗିଛି। ତାଳସଜ ବିକ୍ରୟ କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛୁ। ଗତ ଦୁଇ ବର୍ଷ କରୋନା ଯୋଗୁ ଧନ୍ଦା ସବୁ ବନ୍ଦ ହୋଇଯିବାରୁ ବହୁତ ଅସୁବିଧାରେ ଦିନ କାଟୁଥିଲୁ। ପରିବାର ପ୍ରତି ପୋଷଣରେ ବାଧା ସୃଷ୍ଟି ହେଉଥିଲା। ଚଳିତବର୍ଷ ବେପାର ଭଲ ଚାଲିଛି, ଦୁଇ ପଇସା ରୋଜଗାର ମଧ୍ୟ ହେଉଛି। ଜିଲା ଭିତରେ ତାଳ ଗଛ କମ ପରିମାଣରେ ଥିବାରୁ ଆବଶ୍ୟକ ତାଳ ନ ମିଲିବାରୁ ବରଗଡ ଓ ବଲାଙ୍ଗୀର ଜିଲାକୁ ଯାଇ ତାଳ ଫଳ କିଣି ଆଣୁଛୁ। ଦୂର ସ୍ଥାନକୁ ଯାଇ ତାଳ କ୍ରୟ କରି ଆଣୁଥିବାରୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଜିଲା ଭିତରେ ଆମକୁ ତାଳ ମିଳଥିଲେ ଖର୍ଚ୍ଚା ବଞ୍ଚତ୍ବା ସହ ଲାଭ ମଧ୍ୟ ଅଧିକ ହୋଇ ପାରନ୍ତା। ଜିଲା ପ୍ରଶାସନ କିମ୍ବା ବନ ବିଭାଗ ପକ୍ଷରୁ ତାଳ ଗଛ ବଗିଚା କରନ୍ତେ ଆମ ଭଳି ଅନେକ ବେପାରୀ ତାଳ ବିକ୍ରୟ କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରି ପାରନ୍ତେ। ବୋଲି ତାଳ ବିକାଳିମାନେ ପ୍ରକାଶ କରିଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଇ ଜିଲାରେ ଆବଶ୍ୟକ ତାଳ ଗଛ ଲଗାଇବାକୁ ସାଧାରଣରେ ଦାବି ହେଊଛି।