ପାଇପ୍‌ରେ ଆସୁଛି ଦୂଷିତ ପାଣି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ

ଢେଙ୍କାନାଳ ଅଫିସ,୨୬ ।୨-ଢେଙ୍କାନାଳ ପୌରାଞ୍ଚଳର ୫ନଂ. ୱାର୍ଡ ଅଧୀନ ଚାନ୍ଦମାରି ସାହିରେ ଶୁକ୍ରବାର ଦୂଷିତ ପାନୀୟ ଜଳଯୋଗାଣକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ରଶ୍ମିତା କୁଅଁରଙ୍କ ନେତୃତ୍ୱରେ ଓ୍ବାର୍ଡର ମହିଳାମାନେ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇ ହୋହଲ୍ଲା କରିଥିଲେ।
ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣି ଅତିମାତ୍ରାରେ ଦୂଷିତ। ଗେରୁଆ ରଙ୍ଗଯୁକ୍ତ ଏହି ପାଣିକୁ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିବା କଷ୍ଟକର। ଅଞ୍ଚଳରେ ପିଇବା ପାଣି ପାଇଁ ଅନ୍ୟ ବିଳଳ୍ପ ନ ଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ମଇଳା ପାଣି ଯୋଗାଣକୁ ନେଇ ଓ୍ବାର୍ଡବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, କୌଣସି ପଦକ୍ଷେପ ନିଆଯାଉନାହିଁ। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ପ୍ରଶାସନିକ କଳକୁ ଅଚଳ କରି ଦିଆଯିବ ବୋଲି ଓ୍ବାର୍ଡବାସୀ ଚେତାବନୀ ଦେଇଛନ୍ତି। ସୂଚନା ପାଇ ଟାଉନ ଥାନା ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ଜନସ୍ବାସ୍ଥ୍ୟ ବିଭାଗ ଏସ୍‌ଡିଓ ଲୋକମାନଙ୍କୁ ବୁଝାଇବା ପରେ ସ୍ଥିତି ନୟନ୍ତ୍ରଣକୁ ଆସିଥିଲା। ଏ ନେଇ ଏସ୍‌ଡିଓ ଅଲେଖ ବିହାରୀ ପରିଡା କହିଛନ୍ତି, ଆଗରୁ ଏଭଳି ଅଭିଯୋଗ ଆସି ନ ଥିଲା ା ପାଇପ କାମ ଚାଲୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଖୁବ୍‌ଶୀଘ୍ର ମରାମତି କାମ ସରିବ। ଲୋକଙ୍କ ସମସ୍ୟା ଦୂର ହେବ।