Categories: ଜାତୀୟ

ଚାଇନା, ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୬।୧୦: ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ସହ ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଭୟ ଚାଇନା ଏବଂ ପାକିସ୍ତାନ ଚେତାବନୀ ଦେଇଛନ୍ତି। ଏହି ଦୁଇ ଦେଶର ନାଁ ନେଇ ପରୋକ୍ଷରେ ଏକ ଭର୍ଚୁଆଲ ଇଭେଣ୍ଟରେ ସେ କହିଛନ୍ତି, ଯଦି କେହି ଭାରତ ଉପରେ ଖରାପ ଆଖି ପକାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଉପଯୁକ୍ତ ଜବାବ ଦିଆଯିବ। ଆମର ସାହସୀ ଯବାନମାନେ ସୀମା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଦେଶ ଯେକୌଣସି ପ୍ରକାରର ଆହ୍ବାନର ମୁକାବିଲା କରିବାରେ ସକ୍ଷମ ଅଟେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦେଶ ଏକ ଶାନ୍ତି ପ୍ରେମୀ ଦେଶ। ଆମେ କୌଣସି ଦେଶକୁ ଆଘାତ କରିବାକୁ ଚେଷ୍ଟା କରିନାହୁଁ, କିନ୍ତୁ ଯଦି କେହି ଦେଶର ଶାନ୍ତି ଏବଂ ସୌହାର୍ଦ୍ଦ୍ୟକୁ ବିପର୍ଯ୍ୟସ୍ତ କରିବାକୁ କିମ୍ବା ବିପଦରେ ପକାଇବାକୁ ଚେଷ୍ଟା କରନ୍ତି, ତେବେ ଏହାକୁ ଉପଯୁକ୍ତ ଉତ୍ତର ଦିଆଯିବ। ଏହି ସମୟରେ ସେ ସଶସ୍ତ୍ର ବାହିନୀକୁ ମଜବୁତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ପ୍ରକାଶ କରିଥିଲେ। ସଶସ୍ତ୍ର ବାହିନୀକୁ ସ୍ବଦେଶୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜାଇ ସୁରକ୍ଷା ଉପକରଣକୁ ମଜଭୁତ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି।

Share