ଜାଲରେ ପଡ଼ିଲା ହରିଣ, ଉଦ୍ଧାର କଲେ ଗ୍ରାମବାସୀ

ବାରିପଦା ଅଫିସ,୨୭ା୬: ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀଙ୍କ କବଳରୁ ଖସି ଆସିଥିବା ହରିଣଟି ରବିବାର ଭୋର୍‌ରୁ ଜାଲରେ ଛନ୍ଦି ହୋଇପଡ଼ିଛି। ବାରିପଦା ବନଖଣ୍ଡ ଅଧୀନ ପିଠାବଟା ରେଞ୍ଜ ଦନାମାରା ଗ୍ରାମ ରତିକାନ୍ତ ବେହେରାଙ୍କ ପୋଖରୀ ବାଡ଼ିରେ ଲାଗିଥିବା ଜାଲରେ ହରିଣଟି ଲାଗିରହିଥିଲା। ଏହାକୁ ଗ୍ରାମବାସୀ ଅକ୍ଷତ ଅବସ୍ଥାରେ ଜାଲରୁ ଉଦ୍ଧାର କରିଛନ୍ତି। ଏ ସଂକ୍ରାନ୍ତରେ ବନବିଭାଗକୁ ଖବର ଦିଆଯାଇଛି। ଭୋର୍‌ ସମୟରେ ୩ ଜଣ ଶିକାରୀ ଧନୁତୀର ଧରି ଶିମିଳିପାଳ ପଟୁ ଗୋଡ଼ାଇଥିଲେ। ଶିକାରୀଙ୍କ କବଳରୁ ବର୍ତ୍ତିବା ପାଇଁ ହରିଣଟି ଜନବସତି ଆଡ଼କୁ ପଳାଇ ଆସିଥିଲା। ତେବେ ରତିକାନ୍ତଙ୍କ ବାଡ଼ରେ ଲାଗିଥିବା ଜାଲରେ ହରିଣଟି ଛନ୍ଦି ହୋଇପଡ଼ିଛି। ଏହା ଦେଖି ଶିକାରୀମାନେ ସେଠାରୁ ପଳାଇଥିଲେ। ଅଭୟାରଣ୍ୟରେ ଅବାଧ ଶିକାରୀଙ୍କ ପ୍ରବେଶ ଯୋଗୁ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।