ଅସତ୍ୟର ଗହୀର ଚେର

ବିମଳ ପାଣ୍ଡିଆ

ଭାରତର ଅନେକ ଲୋକ ‘ନାଇକା’ ବୋଲି ଗୋଟେ କମ୍ପାନୀ ଅଛି ଜାଣି ନ ଥିବେ। କମ୍ପାନୀଟି ସୌନ୍ଦର୍ଯ୍ୟ ଓ ପ୍ରସାଧନ ସାମଗ୍ରୀ ବିକେ। ନିଜେ ତିଆରି କରେ ନାହିଁ, ଅନ୍ୟମାନଙ୍କର ପ୍ରସ୍ତୁତ ସାମଗ୍ରୀ ବିକେ। ଅନ୍ୟ ଭାବରେ କହିଲେ, କମ୍ପାନୀଟି କେବଳ ଏକ ଦୋକାନୀ। ଅନ୍ୟର ପ୍ରସ୍ତୁତ ସାମଗ୍ରୀ କିଣି, କିଛି ଲାଭ ରଖି ଗ୍ରାହକଙ୍କୁ, ବିଶେଷ କରି ଯୁବ ମହିଳା ଗ୍ରାହକଙ୍କୁ ବିକେ। ମୁଖ୍ୟତଃ ଅନ୍‌ଲାଇନରେ ହିଁ ବିକେ। ତା’ସହିତ କମ୍ପାନୀର ୭୬ଟି ଦୋକାନ ରହିଛି। ନିକଟରେ ଜାରି କରିଥିବା ତ୍ରୈମାସିକ ରିପୋର୍ଟରେ କମ୍ପାନୀ କହିଛି ଯେ, ଗତ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ତିନି ମାସରେ ଏହା ୮୮୫ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରି ଲାଭ କରିଛି ୧.୧୭ କୋଟି ଟଙ୍କା। ସେତିକି ମାତ୍ର ବେପାର, ଲାଭ ମୋଟେ ଏକ କୋଟିରୁ କିଛି ଅଧିକ କିନ୍ତୁ ଶେୟାର ବଜାର ଅନୁସାରେ ସେହି କମ୍ପାନୀର ମୂଲ୍ୟ ହେଉଛି ଏକ ଲକ୍ଷ କୋଟିରୁ ଅଧିକ। ଏଇଟା କେତେ କମ୍‌ କି ବେଶି ସାଧାରଣ ଲୋକଟେ ଜାଣିବା ପାଇଁ ଆମେ କିଛି ଉଦାହରଣ ଦେଖିବା। ‘ହିରୋ’କମ୍ପାନୀର ଯାନ ଆମେ ସବୁଠାରେ ସବୁସମୟରେ ପ୍ରାୟ ଦେଖିଥାଉ। ଭାରତର ଏକ ବଡ଼ କମ୍ପାନୀ ବୋଲି ମାନୁ, ହିରୋର ବ୍ରାଣ୍ଡ୍‌କୁ ମାନ୍ୟତା ଦେଇଥାଉ। କିନ୍ତୁ, ବଜାରର ମାପକାଠି ଅନୁସାରେ ଅନେକ ଲୋକ ଜାଣି ନ ଥିବା ନାଇକା କମ୍ପାନୀଟି କୁଆଡ଼େ ହିରୋ କମ୍ପାନୀଠୁ ଦୁଇଗୁଣ ବଡ଼। ଆଉ ଗୋଟେ ଉଦାହରଣ ଦେଖିବା। ଭାରତ ପେଟ୍ରୋଲିୟମ କର୍ପୋରେଶନ। ଭାରତର ଅନ୍ୟତମ ବୃହତ୍‌ ତୈଳ କମ୍ପାନୀ। କୋଚି ଓ ମୁମ୍ବାଇରେ ଏହି କମ୍ପାନୀର ଦୁଇଟି ବିଶାଳ ପେଟ୍ରୋଲିୟମ ରିଫାଇନେରି ଅଛି। ଦେଶର କୋଣଅନୁକୋଣରେ ଏହାର ପେଟ୍ରୋଲ-ଡିଜେଲ ପମ୍ପ ରହିଛି ତଥା କମ୍ପାନୀ ବିତରଣ କରୁଥିବା ଭାରତ ଗ୍ୟାସ୍‌କୁ ଦେଶର ଅନେକ ପରିବାର ବ୍ୟବହାର କରନ୍ତି। କମ୍ପାନୀ ତୈଳ ଖୋଜ ଓ ଉତ୍ତୋଳନରେ ମଧ୍ୟ ସାମିଲ ହେଲାଣି। କିନ୍ତୁ, ଶେୟାର ବଜାରର ମାପକରେ ‘ଭାରତ ପେଟ୍ରୋଲିୟମ’ କମ୍ପାନୀଟି ‘ନାଇକା’ କମ୍ପାନୀଠାରୁ ଛୋଟ, ଅନେକ ଛୋଟ। ‘ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ (ସେଲ)’ର ଅନେକ ବିଶାଳ ଲୁହା କାରଖାନା ଓ ଖଣି ଭାରତର ବିଭିନ୍ନ ପ୍ରାନ୍ତରରେ ଅଛି। କିନ୍ତୁ ଶେୟାର ବଜାରର ମାପକରେ ‘ନାଇକା’ କମ୍ପାନୀ ‘ସେଲ’ଠୁ କୁଆଡ଼େ ଅଢ଼େଇ ଗୁଣ ବଡ଼। ଓଡ଼ିଶାର ଅନେକ ଲୋକ କୃଷକ। ତାଙ୍କ ବୃତ୍ତି ସହିତ ସମ୍ବନ୍ଧିତ ଏକ ଉଦାହରଣ ଦେବା। ‘କରମଣ୍ଡଳ’ ହେଉଛି ଭାରତର ସବୁଠାରୁ ବଡ଼ ସାର ବା ଉର୍ବରକ ଉତ୍ପାଦକ କମ୍ପାନୀ। ତାହାର ‘ଗ୍ରୋମୋର’ ବ୍ରାଣ୍ଡ୍‌ରେ ମିଳୁଥିବା ସାର ଅଧିକାଂଶ ଚାଷୀଙ୍କର ପ୍ରଥମ ପସନ୍ଦ। ଶେୟାର ବଜାରର ମାପକରେ ସେହି କମ୍ପାନୀଟି କୁଆଡ଼େ ‘ନାଇକା’ କମ୍ପାନୀର ଚାରି ଭାଗର ଭାଗେରୁ ବି ସାନ ହେବ। ଏବେ ଆସିବା ‘ପେଟିଏମ୍‌’ କମ୍ପାନୀକୁ। କମ୍ପାନୀ ଆରମ୍ଭ ହେଲା ଦିନରୁ ଲାଭ କରିନି। କେବେ ଲାଭ କରିବ, କରିବ ବା ନାହିଁ ତାହା ଜଣା ନାହିଁ। ଏହା ମୁଁ କହୁ ନାହିଁ। କମ୍ପାନୀ ଏବେ ଶେୟାର ବଜାରକୁ ପ୍ରବେଶ କରିଛି। ସେ ଜାରି କରିଥିବା ଦସ୍ତାବିଜରେ ହିଁ କହିଛି ଯେ ଆମେ କେବେ ଲାଭ କରିବୁ ଜଣା ନାହିଁ। କିନ୍ତୁ ଶେୟାର ବଜାରକୁ ପ୍ରବେଶ କଲା ବେଳେ ନିଜକୁ ଦେଢ଼ ଲକ୍ଷ କୋଟି ଟଙ୍କାର କମ୍ପାନୀ ବୋଲି ଘୋଷଣା କଲା। ନିଜକୁ ସେ ଟାଟା ଷ୍ଟିଲ, ଇଣ୍ଡିଆନ ଅଏଲ କର୍ପୋରେଶନ, ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ ଭଳି ବିଶାଳ କମ୍ପାନୀଙ୍କଠୁ ବି ବଡ଼ ବୋଲି ବିଚାରିଲା।
‘ବିଟ୍‌ କଏନ୍‌’ ଅସତ୍ୟକୁ ସତ୍ୟ ବିଚାରିବାର ଆଉ ଏକ ବିରାଟ ଉଦାହରଣ। ବିଟ୍‌ କଏନ୍‌ କ’ଣ ତାହା ପୃଥିବୀର ୧୦୦ରୁ ୯୫ ଲୋକ ବୁଝି ନ ଥିବେ। କିନ୍ତୁ, ଏବେ ସରକାରମାନେ ତାହା ଉପରେ ଚର୍ଚ୍ଚା କରିବା ଆରମ୍ଭ କଲେଣି। ଏହା କୁଆଡ଼େ ଏକ ମୁଦ୍ରା। ଏହାକୁ ‘ବିକେନ୍ଦ୍ରୀକୃତ ଡିଜିଟାଲ କରେନ୍ସି’ ବୋଲି କୁହାହେଉଛି। ପୃଥିବୀର ବିଭିନ୍ନ ଦେଶରେ ଭିନ୍ନଭିନ୍ନ ମୁଦ୍ରା ବ୍ୟବହାର ହୁଏ। ସମସ୍ତ ମୁଦ୍ରାର ନିୟନ୍ତ୍ରଣ ବ୍ୟବସ୍ଥା ଥାଏ। ଆମର ରିଜର୍ଭ ବ୍ୟାଙ୍କ ଭଳି ବ୍ୟାଙ୍କ ମୁଦ୍ରାକୁ ନିୟନ୍ତ୍ରଣ କରିଥାନ୍ତି। କିନ୍ତୁ ବିଟ୍‌ କଏନ୍‌ର କେହି ନିୟନ୍ତ୍ରକ ନାହାନ୍ତି। ଏହି ତଥାକଥିତ ମୁଦ୍ରାକୁ ଲୋକେ ଦ୍ରବ୍ୟ କିଣାବିକା ପାଇଁ କେତେ ବ୍ୟବହାର କରୁଛନ୍ତି ତାହା ମୁଁ ଜାଣିନି, କିନ୍ତୁ ଏହି ମୁଦ୍ରାର କିଣାବିକା ବିଭିନ୍ନ ଅନ୍ତର୍ଜାତୀୟ ଶେୟାର ବଜାରରେ ଖୁବ୍‌ ଜୋରରେ ଚାଲିଛି, ଆଉ ଏମିତି ଚାଲିଛି ଯେ ତାହାର କଳ୍ପନା କରିବା ମଧ୍ୟ ଆମ ପାଇଁ କଷ୍ଟ ହୋଇପଡୁଛି। ୨୦୧୦ ମସିହାରେ ବାଣିଜି୍ୟକ କାରବାର ପାଇଁ ବିଟ୍‌ କଏନ୍‌ର ପ୍ରଥମ ବ୍ୟବହାର ହୋଇଥିଲା ବୋଲି କିଛି ଆଲେଖ୍ୟ ରହିଛି। ଲାଜିଓ ହେନେଜେ ନାମକ ଜଣେ ବ୍ୟକ୍ତି ୧୦,୦୦୦ (ହଁ, ଦଶ ହଜାର) ବିଟ୍‌ କଏନ୍‌ ଦେଇ ‘ପାପା ଜନ୍‌ସ’ ବୋଲି ଗୋଟିଏ ଖାଦ୍ୟ ଦୋକାନରୁ ଦୁଇଟି (ହଁ, ଦୁଇଟି) ପିଜ୍ଜା କିଣିଥିଲେ କୁଆଡ଼େ। ୨୦୧୩ ମସିହାରେ ବିଟ୍‌ କଏନ୍‌କୁ ପ୍ରଥମ କରି ଆମେରିକୀୟ ଡଲାର ସହିତ ଅଦଳବଦଳ କରାଯାଇଥିଲା ବୋଲି ଗୋଟିଏ ଆଲେଖ୍ୟ କହେ। ଗୋଟିଏ ବିଟ୍‌ କଏନ୍‌କୁ ୨୨ ଆମେରିକୀୟ ଡଲାର ଦେଇ ଅଦଳବଦଳ ହୋଇଥିଲା। ବର୍ତ୍ତମାନକୁ ଆସିବା। ଗୋଟିଏ ବିଟ୍‌ କଏନ୍‌କୁ ୧୯ ନଭେମ୍ବରରେ ଲୋକେ ୫୬,୦୦୦, (ହଁ- ଛପନ ହଜାର) ଆମେରିକୀୟ ଡଲାର ଦେଇକି ବଦଳ କରୁଥିଲେ, ସାତ ଦିନ ଆଗରୁ ତାହା ୬୪,୦୦୦ ଡଲାରରେ ବି ଅଦଳବଦଳ ହେଉଥିଲା। ୨୦୧୦ ମସିହାରେ ଦୁଇଟି ପିଜ୍ଜା ଦେଇ ୧୦,୦୦୦ ବିଟ୍‌ କଏନ୍‌ ରଖିଥିବା ‘ପାପା ଜନ୍‌ସ’ ଯଦି ଏବେ ସେହି ମୁଦ୍ରା ରଖିଥିବେ, ତେବେ ତାହାର ମୂଲ୍ୟ ଏବେ ୫୬ କୋଟି ଆମେରିକୀୟ ଡଲାର ବା ୪,୨୦୦ କୋଟି ଟଙ୍କା ହେବ। ବିଟ୍‌ କଏନ୍‌ ଭଳି ଅନେକ ମୁଦ୍ରା ଏବେ ବଜାରରେ। ଦ୍ରବ୍ୟ ଓ ସେବା କିଣାବିକା ପାଇଁ ବ୍ୟବହାର ହେଉ ନ ହେଉ, ଶେୟାର ବଜାରରେ ବ୍ୟାପକ ଭାବରେ କାରବାର ହେଉଛି ସେହିଭଳି ମୁଦ୍ରା। ଇଂଲିଶରେ ସେହିଭଳି ମୁଦ୍ରାକୁ ‘crypto currency’ ବୋଲି କୁହାହେଉଛି। ‘crypto’ ର ଆକ୍ଷରିକ ଓଡ଼ିଆ ଅନୁବାଦ ହେଲା ଗୋପନୀୟ। ଲୋକେ କ’ଣ ବୁଝିଛନ୍ତି ଆମେମାନେ ବୁଝିବାକୁ ଅକ୍ଷମ କିନ୍ତୁ ସେହି ମୁଦ୍ରାର କିଣାବିକା କରି ଅନେକ ଲୋକ ଲକ୍ଷପତି, କୋଟିପତି ଓ କାଙ୍ଗାଳ ହୋଇଚାଲିଛନ୍ତି।
ଅଦ୍ଭୁତ ! କମ୍ପାନୀ ଲାଭ କରୁନି, ଦୋକାନ ମାତ୍ର କେଇଟା। କିନ୍ତୁ ମୂଲ୍ୟାଙ୍କନ ହେଉଛି ଯେ କମ୍ପାନୀଟି ଲକ୍ଷଲକ୍ଷ କୋଟି ଟଙ୍କାର। ଏପଟେ ଗୋଟେ ମୁଦ୍ରାକୁ ଲୋକେ ବ୍ୟବହାର କରୁନାହାନ୍ତି, କରିବେ କି ନାହିଁ ତାହା ବି ଜଣା ନାହିଁ କିନ୍ତୁ ଆଠ ବର୍ଷରେ ତାହାର ମୂଲ୍ୟ ବଢ଼ିଛି ୨୫୪୫ ଗୁଣ। ଅନେକ ଲୋକ ‘ନାଇକା’ ଓ ‘ପେଟିଏମ୍‌’ କମ୍ପାନୀର ଶେୟାର କିଣିଛନ୍ତି, ଆଗକୁ ବି କିଣିବେ। ତହିଁର କାହିଁ କେତେ ଗୁଣ ଲୋକ ବିଟ୍‌ କଏନ୍‌ର ବେପାରରେ ମାତିବେ। କୁଆଡ଼େ ସେମାନେ ଭବିଷ୍ୟତ। ଯାହା ବାସ୍ତବ ତାହାରି ମୂଲ୍ୟ ନାହିଁ। ଚାଷୀ ଚାଷ ଖର୍ଚ୍ଚ ଉଠାଇ ପାରୁନି। ପ୍ରାଥମିକ ବ୍ୟବସ୍ଥାରେ ଥିବା କମ୍ପାନୀ ଓ ବୃତ୍ତିର କ’ଣ ଭବିଷ୍ୟତ ନୁହଁ ? ଦୈନନ୍ଦିନ ଜୀବନ ଜିଇବା ପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟ, ବେପାର ଓ ବୃତ୍ତିର କ’ଣ କିଛି ଭବିଷ୍ୟତ ନାହିଁ ବା ସେହିଭଳି ଦ୍ରବ୍ୟ, ବେପାର ଓ ବୃତ୍ତିର କ’ଣ କିଛି ମୂଲ୍ୟ ନାହିଁ ? ଦୁର୍ଭାଗ୍ୟ ହେଲା ଯେ ଯାହା ବାସ୍ତବ ନୁହେଁ ବା ଯାହା ଜରୁରୀ ନୁହେଁ ତାହାକୁ ସତ୍ୟ ଓ ଭବିଷ୍ୟତ ବୋଲି ଆମେ ଧରିନେବା ପରମ୍ପରାଟେ ଜଡ଼େଇବାରେ ଲାଗିଛି ଏବଂ ଯାହା ନିରାଟ ବାସ୍ତବ ଓ ଜରୁରୀ ତାହାକୁ ଗୌଣ କହି ଆମେ କହୁଣୀଠେସା ମାରିବାରେ ଲାଗିଛେ।
ଅସତ୍ୟର ଏହି ଗହୀର ଚେର ଖାଲି ଶେୟାର ବଜାରରେ ନାହିଁ, ଏହା ଆଜିର ସମାଜର ପ୍ରାୟ ସବୁ କ୍ଷେତ୍ରରେ ମାଡ଼ି ଚାଲିଛି। ଚାଷକୁ ଏବେ ଏକ ସମ୍ଭ୍ରାନ୍ତ ଓ ସାମାଜିକ ପ୍ରତିଷ୍ଠା ରଖୁଥିବା ବୃତ୍ତି ଭାବରେ ବିବେଚନା କରାଯାଉ ନାହିଁ। ଚାଷ ଓ ଚାଷୀ ଯେମିତି ସମାଜ ଓ ସରକାରଙ୍କ ପାଇଁ ବୋଝ। ଅନ୍ୟ ବୃତ୍ତିର ରୋଜଗାର ଚାଷୀର ରୋଜଗାରଠାରୁ କାହିଁରେ କେତେ ଅଧିକ। ଶ୍ରମକୁ ଜୀବିକା କରୁଥିବା ଲୋକଙ୍କ ଦଶା ବି ସେମିତି। ଯିଏ ଶ୍ରମଜୀବୀ ସିଏ ସମାଜର ସବୁଠାରୁ ତଳେ ଥିବା ବ୍ୟକ୍ତି ବୋଲି ଧରି ନିଆଯାଉଛି। ଶ୍ରମଜୀବୀଙ୍କୁ ‘ତୁମେ’ ବା ‘ଆପଣ’ ବୋଲି ସମ୍ବୋଧନ କଲେ ଅନେକ ଲୋକଙ୍କର କୁଆଡ଼େ ଇଜ୍ଜତ ପଳାଇଯାଏ। ତାଙ୍କୁ ‘ତୁ’ ବୋଲି ହିଁ ସମ୍ବୋଧନ କରିବେ। ଏହିଭଳି ଅନେକ ଅସତ୍ୟ ଆମ ସମାଜକୁ ଜାବୁଡ଼ି ଧରିଛି। ଆମେ ସେହି ଅସତ୍ୟ ନାଟକର ଦର୍ଶକ ନୁହେଁ, ଗୋଟେଗୋଟେ କଳାକାର ହୋଇସାରିଛେ। ମିଥ୍ୟାର ଏହି ରଙ୍ଗମଞ୍ଚରୁ ଆମେ ଶୀଘ୍ର ମୁକୁଳିବା ନିହାତି ଦରକାର।
bimalpandia.@ gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri