ଅସତ୍ୟର ଗହୀର ଚେର

ବିମଳ ପାଣ୍ଡିଆ

ଭାରତର ଅନେକ ଲୋକ ‘ନାଇକା’ ବୋଲି ଗୋଟେ କମ୍ପାନୀ ଅଛି ଜାଣି ନ ଥିବେ। କମ୍ପାନୀଟି ସୌନ୍ଦର୍ଯ୍ୟ ଓ ପ୍ରସାଧନ ସାମଗ୍ରୀ ବିକେ। ନିଜେ ତିଆରି କରେ ନାହିଁ, ଅନ୍ୟମାନଙ୍କର ପ୍ରସ୍ତୁତ ସାମଗ୍ରୀ ବିକେ। ଅନ୍ୟ ଭାବରେ କହିଲେ, କମ୍ପାନୀଟି କେବଳ ଏକ ଦୋକାନୀ। ଅନ୍ୟର ପ୍ରସ୍ତୁତ ସାମଗ୍ରୀ କିଣି, କିଛି ଲାଭ ରଖି ଗ୍ରାହକଙ୍କୁ, ବିଶେଷ କରି ଯୁବ ମହିଳା ଗ୍ରାହକଙ୍କୁ ବିକେ। ମୁଖ୍ୟତଃ ଅନ୍‌ଲାଇନରେ ହିଁ ବିକେ। ତା’ସହିତ କମ୍ପାନୀର ୭୬ଟି ଦୋକାନ ରହିଛି। ନିକଟରେ ଜାରି କରିଥିବା ତ୍ରୈମାସିକ ରିପୋର୍ଟରେ କମ୍ପାନୀ କହିଛି ଯେ, ଗତ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ତିନି ମାସରେ ଏହା ୮୮୫ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରି ଲାଭ କରିଛି ୧.୧୭ କୋଟି ଟଙ୍କା। ସେତିକି ମାତ୍ର ବେପାର, ଲାଭ ମୋଟେ ଏକ କୋଟିରୁ କିଛି ଅଧିକ କିନ୍ତୁ ଶେୟାର ବଜାର ଅନୁସାରେ ସେହି କମ୍ପାନୀର ମୂଲ୍ୟ ହେଉଛି ଏକ ଲକ୍ଷ କୋଟିରୁ ଅଧିକ। ଏଇଟା କେତେ କମ୍‌ କି ବେଶି ସାଧାରଣ ଲୋକଟେ ଜାଣିବା ପାଇଁ ଆମେ କିଛି ଉଦାହରଣ ଦେଖିବା। ‘ହିରୋ’କମ୍ପାନୀର ଯାନ ଆମେ ସବୁଠାରେ ସବୁସମୟରେ ପ୍ରାୟ ଦେଖିଥାଉ। ଭାରତର ଏକ ବଡ଼ କମ୍ପାନୀ ବୋଲି ମାନୁ, ହିରୋର ବ୍ରାଣ୍ଡ୍‌କୁ ମାନ୍ୟତା ଦେଇଥାଉ। କିନ୍ତୁ, ବଜାରର ମାପକାଠି ଅନୁସାରେ ଅନେକ ଲୋକ ଜାଣି ନ ଥିବା ନାଇକା କମ୍ପାନୀଟି କୁଆଡ଼େ ହିରୋ କମ୍ପାନୀଠୁ ଦୁଇଗୁଣ ବଡ଼। ଆଉ ଗୋଟେ ଉଦାହରଣ ଦେଖିବା। ଭାରତ ପେଟ୍ରୋଲିୟମ କର୍ପୋରେଶନ। ଭାରତର ଅନ୍ୟତମ ବୃହତ୍‌ ତୈଳ କମ୍ପାନୀ। କୋଚି ଓ ମୁମ୍ବାଇରେ ଏହି କମ୍ପାନୀର ଦୁଇଟି ବିଶାଳ ପେଟ୍ରୋଲିୟମ ରିଫାଇନେରି ଅଛି। ଦେଶର କୋଣଅନୁକୋଣରେ ଏହାର ପେଟ୍ରୋଲ-ଡିଜେଲ ପମ୍ପ ରହିଛି ତଥା କମ୍ପାନୀ ବିତରଣ କରୁଥିବା ଭାରତ ଗ୍ୟାସ୍‌କୁ ଦେଶର ଅନେକ ପରିବାର ବ୍ୟବହାର କରନ୍ତି। କମ୍ପାନୀ ତୈଳ ଖୋଜ ଓ ଉତ୍ତୋଳନରେ ମଧ୍ୟ ସାମିଲ ହେଲାଣି। କିନ୍ତୁ, ଶେୟାର ବଜାରର ମାପକରେ ‘ଭାରତ ପେଟ୍ରୋଲିୟମ’ କମ୍ପାନୀଟି ‘ନାଇକା’ କମ୍ପାନୀଠାରୁ ଛୋଟ, ଅନେକ ଛୋଟ। ‘ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ (ସେଲ)’ର ଅନେକ ବିଶାଳ ଲୁହା କାରଖାନା ଓ ଖଣି ଭାରତର ବିଭିନ୍ନ ପ୍ରାନ୍ତରରେ ଅଛି। କିନ୍ତୁ ଶେୟାର ବଜାରର ମାପକରେ ‘ନାଇକା’ କମ୍ପାନୀ ‘ସେଲ’ଠୁ କୁଆଡ଼େ ଅଢ଼େଇ ଗୁଣ ବଡ଼। ଓଡ଼ିଶାର ଅନେକ ଲୋକ କୃଷକ। ତାଙ୍କ ବୃତ୍ତି ସହିତ ସମ୍ବନ୍ଧିତ ଏକ ଉଦାହରଣ ଦେବା। ‘କରମଣ୍ଡଳ’ ହେଉଛି ଭାରତର ସବୁଠାରୁ ବଡ଼ ସାର ବା ଉର୍ବରକ ଉତ୍ପାଦକ କମ୍ପାନୀ। ତାହାର ‘ଗ୍ରୋମୋର’ ବ୍ରାଣ୍ଡ୍‌ରେ ମିଳୁଥିବା ସାର ଅଧିକାଂଶ ଚାଷୀଙ୍କର ପ୍ରଥମ ପସନ୍ଦ। ଶେୟାର ବଜାରର ମାପକରେ ସେହି କମ୍ପାନୀଟି କୁଆଡ଼େ ‘ନାଇକା’ କମ୍ପାନୀର ଚାରି ଭାଗର ଭାଗେରୁ ବି ସାନ ହେବ। ଏବେ ଆସିବା ‘ପେଟିଏମ୍‌’ କମ୍ପାନୀକୁ। କମ୍ପାନୀ ଆରମ୍ଭ ହେଲା ଦିନରୁ ଲାଭ କରିନି। କେବେ ଲାଭ କରିବ, କରିବ ବା ନାହିଁ ତାହା ଜଣା ନାହିଁ। ଏହା ମୁଁ କହୁ ନାହିଁ। କମ୍ପାନୀ ଏବେ ଶେୟାର ବଜାରକୁ ପ୍ରବେଶ କରିଛି। ସେ ଜାରି କରିଥିବା ଦସ୍ତାବିଜରେ ହିଁ କହିଛି ଯେ ଆମେ କେବେ ଲାଭ କରିବୁ ଜଣା ନାହିଁ। କିନ୍ତୁ ଶେୟାର ବଜାରକୁ ପ୍ରବେଶ କଲା ବେଳେ ନିଜକୁ ଦେଢ଼ ଲକ୍ଷ କୋଟି ଟଙ୍କାର କମ୍ପାନୀ ବୋଲି ଘୋଷଣା କଲା। ନିଜକୁ ସେ ଟାଟା ଷ୍ଟିଲ, ଇଣ୍ଡିଆନ ଅଏଲ କର୍ପୋରେଶନ, ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ ଭଳି ବିଶାଳ କମ୍ପାନୀଙ୍କଠୁ ବି ବଡ଼ ବୋଲି ବିଚାରିଲା।
‘ବିଟ୍‌ କଏନ୍‌’ ଅସତ୍ୟକୁ ସତ୍ୟ ବିଚାରିବାର ଆଉ ଏକ ବିରାଟ ଉଦାହରଣ। ବିଟ୍‌ କଏନ୍‌ କ’ଣ ତାହା ପୃଥିବୀର ୧୦୦ରୁ ୯୫ ଲୋକ ବୁଝି ନ ଥିବେ। କିନ୍ତୁ, ଏବେ ସରକାରମାନେ ତାହା ଉପରେ ଚର୍ଚ୍ଚା କରିବା ଆରମ୍ଭ କଲେଣି। ଏହା କୁଆଡ଼େ ଏକ ମୁଦ୍ରା। ଏହାକୁ ‘ବିକେନ୍ଦ୍ରୀକୃତ ଡିଜିଟାଲ କରେନ୍ସି’ ବୋଲି କୁହାହେଉଛି। ପୃଥିବୀର ବିଭିନ୍ନ ଦେଶରେ ଭିନ୍ନଭିନ୍ନ ମୁଦ୍ରା ବ୍ୟବହାର ହୁଏ। ସମସ୍ତ ମୁଦ୍ରାର ନିୟନ୍ତ୍ରଣ ବ୍ୟବସ୍ଥା ଥାଏ। ଆମର ରିଜର୍ଭ ବ୍ୟାଙ୍କ ଭଳି ବ୍ୟାଙ୍କ ମୁଦ୍ରାକୁ ନିୟନ୍ତ୍ରଣ କରିଥାନ୍ତି। କିନ୍ତୁ ବିଟ୍‌ କଏନ୍‌ର କେହି ନିୟନ୍ତ୍ରକ ନାହାନ୍ତି। ଏହି ତଥାକଥିତ ମୁଦ୍ରାକୁ ଲୋକେ ଦ୍ରବ୍ୟ କିଣାବିକା ପାଇଁ କେତେ ବ୍ୟବହାର କରୁଛନ୍ତି ତାହା ମୁଁ ଜାଣିନି, କିନ୍ତୁ ଏହି ମୁଦ୍ରାର କିଣାବିକା ବିଭିନ୍ନ ଅନ୍ତର୍ଜାତୀୟ ଶେୟାର ବଜାରରେ ଖୁବ୍‌ ଜୋରରେ ଚାଲିଛି, ଆଉ ଏମିତି ଚାଲିଛି ଯେ ତାହାର କଳ୍ପନା କରିବା ମଧ୍ୟ ଆମ ପାଇଁ କଷ୍ଟ ହୋଇପଡୁଛି। ୨୦୧୦ ମସିହାରେ ବାଣିଜି୍ୟକ କାରବାର ପାଇଁ ବିଟ୍‌ କଏନ୍‌ର ପ୍ରଥମ ବ୍ୟବହାର ହୋଇଥିଲା ବୋଲି କିଛି ଆଲେଖ୍ୟ ରହିଛି। ଲାଜିଓ ହେନେଜେ ନାମକ ଜଣେ ବ୍ୟକ୍ତି ୧୦,୦୦୦ (ହଁ, ଦଶ ହଜାର) ବିଟ୍‌ କଏନ୍‌ ଦେଇ ‘ପାପା ଜନ୍‌ସ’ ବୋଲି ଗୋଟିଏ ଖାଦ୍ୟ ଦୋକାନରୁ ଦୁଇଟି (ହଁ, ଦୁଇଟି) ପିଜ୍ଜା କିଣିଥିଲେ କୁଆଡ଼େ। ୨୦୧୩ ମସିହାରେ ବିଟ୍‌ କଏନ୍‌କୁ ପ୍ରଥମ କରି ଆମେରିକୀୟ ଡଲାର ସହିତ ଅଦଳବଦଳ କରାଯାଇଥିଲା ବୋଲି ଗୋଟିଏ ଆଲେଖ୍ୟ କହେ। ଗୋଟିଏ ବିଟ୍‌ କଏନ୍‌କୁ ୨୨ ଆମେରିକୀୟ ଡଲାର ଦେଇ ଅଦଳବଦଳ ହୋଇଥିଲା। ବର୍ତ୍ତମାନକୁ ଆସିବା। ଗୋଟିଏ ବିଟ୍‌ କଏନ୍‌କୁ ୧୯ ନଭେମ୍ବରରେ ଲୋକେ ୫୬,୦୦୦, (ହଁ- ଛପନ ହଜାର) ଆମେରିକୀୟ ଡଲାର ଦେଇକି ବଦଳ କରୁଥିଲେ, ସାତ ଦିନ ଆଗରୁ ତାହା ୬୪,୦୦୦ ଡଲାରରେ ବି ଅଦଳବଦଳ ହେଉଥିଲା। ୨୦୧୦ ମସିହାରେ ଦୁଇଟି ପିଜ୍ଜା ଦେଇ ୧୦,୦୦୦ ବିଟ୍‌ କଏନ୍‌ ରଖିଥିବା ‘ପାପା ଜନ୍‌ସ’ ଯଦି ଏବେ ସେହି ମୁଦ୍ରା ରଖିଥିବେ, ତେବେ ତାହାର ମୂଲ୍ୟ ଏବେ ୫୬ କୋଟି ଆମେରିକୀୟ ଡଲାର ବା ୪,୨୦୦ କୋଟି ଟଙ୍କା ହେବ। ବିଟ୍‌ କଏନ୍‌ ଭଳି ଅନେକ ମୁଦ୍ରା ଏବେ ବଜାରରେ। ଦ୍ରବ୍ୟ ଓ ସେବା କିଣାବିକା ପାଇଁ ବ୍ୟବହାର ହେଉ ନ ହେଉ, ଶେୟାର ବଜାରରେ ବ୍ୟାପକ ଭାବରେ କାରବାର ହେଉଛି ସେହିଭଳି ମୁଦ୍ରା। ଇଂଲିଶରେ ସେହିଭଳି ମୁଦ୍ରାକୁ ‘crypto currency’ ବୋଲି କୁହାହେଉଛି। ‘crypto’ ର ଆକ୍ଷରିକ ଓଡ଼ିଆ ଅନୁବାଦ ହେଲା ଗୋପନୀୟ। ଲୋକେ କ’ଣ ବୁଝିଛନ୍ତି ଆମେମାନେ ବୁଝିବାକୁ ଅକ୍ଷମ କିନ୍ତୁ ସେହି ମୁଦ୍ରାର କିଣାବିକା କରି ଅନେକ ଲୋକ ଲକ୍ଷପତି, କୋଟିପତି ଓ କାଙ୍ଗାଳ ହୋଇଚାଲିଛନ୍ତି।
ଅଦ୍ଭୁତ ! କମ୍ପାନୀ ଲାଭ କରୁନି, ଦୋକାନ ମାତ୍ର କେଇଟା। କିନ୍ତୁ ମୂଲ୍ୟାଙ୍କନ ହେଉଛି ଯେ କମ୍ପାନୀଟି ଲକ୍ଷଲକ୍ଷ କୋଟି ଟଙ୍କାର। ଏପଟେ ଗୋଟେ ମୁଦ୍ରାକୁ ଲୋକେ ବ୍ୟବହାର କରୁନାହାନ୍ତି, କରିବେ କି ନାହିଁ ତାହା ବି ଜଣା ନାହିଁ କିନ୍ତୁ ଆଠ ବର୍ଷରେ ତାହାର ମୂଲ୍ୟ ବଢ଼ିଛି ୨୫୪୫ ଗୁଣ। ଅନେକ ଲୋକ ‘ନାଇକା’ ଓ ‘ପେଟିଏମ୍‌’ କମ୍ପାନୀର ଶେୟାର କିଣିଛନ୍ତି, ଆଗକୁ ବି କିଣିବେ। ତହିଁର କାହିଁ କେତେ ଗୁଣ ଲୋକ ବିଟ୍‌ କଏନ୍‌ର ବେପାରରେ ମାତିବେ। କୁଆଡ଼େ ସେମାନେ ଭବିଷ୍ୟତ। ଯାହା ବାସ୍ତବ ତାହାରି ମୂଲ୍ୟ ନାହିଁ। ଚାଷୀ ଚାଷ ଖର୍ଚ୍ଚ ଉଠାଇ ପାରୁନି। ପ୍ରାଥମିକ ବ୍ୟବସ୍ଥାରେ ଥିବା କମ୍ପାନୀ ଓ ବୃତ୍ତିର କ’ଣ ଭବିଷ୍ୟତ ନୁହଁ ? ଦୈନନ୍ଦିନ ଜୀବନ ଜିଇବା ପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟ, ବେପାର ଓ ବୃତ୍ତିର କ’ଣ କିଛି ଭବିଷ୍ୟତ ନାହିଁ ବା ସେହିଭଳି ଦ୍ରବ୍ୟ, ବେପାର ଓ ବୃତ୍ତିର କ’ଣ କିଛି ମୂଲ୍ୟ ନାହିଁ ? ଦୁର୍ଭାଗ୍ୟ ହେଲା ଯେ ଯାହା ବାସ୍ତବ ନୁହେଁ ବା ଯାହା ଜରୁରୀ ନୁହେଁ ତାହାକୁ ସତ୍ୟ ଓ ଭବିଷ୍ୟତ ବୋଲି ଆମେ ଧରିନେବା ପରମ୍ପରାଟେ ଜଡ଼େଇବାରେ ଲାଗିଛି ଏବଂ ଯାହା ନିରାଟ ବାସ୍ତବ ଓ ଜରୁରୀ ତାହାକୁ ଗୌଣ କହି ଆମେ କହୁଣୀଠେସା ମାରିବାରେ ଲାଗିଛେ।
ଅସତ୍ୟର ଏହି ଗହୀର ଚେର ଖାଲି ଶେୟାର ବଜାରରେ ନାହିଁ, ଏହା ଆଜିର ସମାଜର ପ୍ରାୟ ସବୁ କ୍ଷେତ୍ରରେ ମାଡ଼ି ଚାଲିଛି। ଚାଷକୁ ଏବେ ଏକ ସମ୍ଭ୍ରାନ୍ତ ଓ ସାମାଜିକ ପ୍ରତିଷ୍ଠା ରଖୁଥିବା ବୃତ୍ତି ଭାବରେ ବିବେଚନା କରାଯାଉ ନାହିଁ। ଚାଷ ଓ ଚାଷୀ ଯେମିତି ସମାଜ ଓ ସରକାରଙ୍କ ପାଇଁ ବୋଝ। ଅନ୍ୟ ବୃତ୍ତିର ରୋଜଗାର ଚାଷୀର ରୋଜଗାରଠାରୁ କାହିଁରେ କେତେ ଅଧିକ। ଶ୍ରମକୁ ଜୀବିକା କରୁଥିବା ଲୋକଙ୍କ ଦଶା ବି ସେମିତି। ଯିଏ ଶ୍ରମଜୀବୀ ସିଏ ସମାଜର ସବୁଠାରୁ ତଳେ ଥିବା ବ୍ୟକ୍ତି ବୋଲି ଧରି ନିଆଯାଉଛି। ଶ୍ରମଜୀବୀଙ୍କୁ ‘ତୁମେ’ ବା ‘ଆପଣ’ ବୋଲି ସମ୍ବୋଧନ କଲେ ଅନେକ ଲୋକଙ୍କର କୁଆଡ଼େ ଇଜ୍ଜତ ପଳାଇଯାଏ। ତାଙ୍କୁ ‘ତୁ’ ବୋଲି ହିଁ ସମ୍ବୋଧନ କରିବେ। ଏହିଭଳି ଅନେକ ଅସତ୍ୟ ଆମ ସମାଜକୁ ଜାବୁଡ଼ି ଧରିଛି। ଆମେ ସେହି ଅସତ୍ୟ ନାଟକର ଦର୍ଶକ ନୁହେଁ, ଗୋଟେଗୋଟେ କଳାକାର ହୋଇସାରିଛେ। ମିଥ୍ୟାର ଏହି ରଙ୍ଗମଞ୍ଚରୁ ଆମେ ଶୀଘ୍ର ମୁକୁଳିବା ନିହାତି ଦରକାର।
bimalpandia.@ gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri