Categories: ଫୁରସତ

ଦୁନିଆର ସବୁଠୁ ଦୀର୍ଘାୟୁ ମହିଳାଙ୍କ ପରଲୋକ

ଦୁନିଆର ଦୀର୍ଘାୟୁ ମହିଳାଙ୍କ ଦେହାନ୍ତ ହୋଇଛି। ଦକ୍ଷିଣ ଆଫ୍ରିକାର ବାସିନ୍ଦା ଜୋହାନା ମାଜିବୁକୋଙ୍କୁ ୧୨୮ ବର୍ଷ ବୟସ ହୋଇଥିଲା। ସେ ୧୮୯୪ରେ ଜନ୍ମଗ୍ରହଣ କରିଥିଲେ। ସେ ମେ ୨୦୨୩ରେ ୧୨୯ ବର୍ଷରେ ପଦାର୍ପଣ କରିଥାନ୍ତେ।
ଡେଲି ମେଲ ରିପୋର୍ଟ ଅନୁଯାୟୀ, ଜୋହାନା ମାଜିବୁକୋ ୩ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ତାଙ୍କର ଦୀର୍ଘ ଜୀବନ ୩ଟି ଦେଶରେ ଅତିବାହିତ ହୋଇଥିଲା। ତାଙ୍କ ସ୍ବାମୀଙ୍କ ନାମ ଥିଲା ଷ୍ଟାବାନା ମାଜିବୁକୋ। ତାଙ୍କର ୭ ସନ୍ତାନ ଥିଲେ। ତାଙ୍କର ୫୦ରୁ ଅଧିକ ନାତି ଏବଂ ନାତି ନାତୁଣୀ ଅଛନ୍ତି। ଏକ ସାକ୍ଷାତକାରରେ ଜୋହାନା କହିଥିଲେ ଯେ, ତାଙ୍କର ୧୨ ଭାଇଭଉଣୀ ଥିଲେ। ସେଥିମଧ୍ୟରୁ ୩ ଜଣ ଜୀବିତ ଅଛନ୍ତି। ଜୋହାନାର ସମ୍ପର୍କୀୟଙ୍କ ଅନୁଯାୟୀ ଜୋହାନା କେବେ ଅଧ୍ୟୟନ କରିନଥିଲେ। ସେ କ୍ଷେତରେ କାମ କରୁଥିଲେ।
ଜୋହାନାଙ୍କୁ ଦୁନିଆର ସବୁଠାରୁ ବୟସ୍କା ମହିଳା ଭାବରେ ବର୍ଣ୍ଣନା କରାଯାଉଛି। ଏହାର ପ୍ରମାଣପତ୍ର ମଧ୍ୟ ଥିଲା। ଏକ ଡକ୍ୟୁମେଣ୍ଟରେ, ତାଙ୍କର ଜନ୍ମ ତାରିଖ ୧୧ ମେ ୧୮୯୪ ଭାବରେ ଲେଖାଯାଇଛି। ଜୋହାନାର ସମ୍ପର୍କୀୟମାନେ କହିଛନ୍ତି ଯେ, ସେହି ଡକ୍ୟୁମେଣ୍ଟ ଆଧାରରେ ଜୋହାନାର ନାମ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡରେ ପଞ୍ଜୀକୃତ ହେବା ଉଚିତ, ଯାହାଫଳରେ ତାଙ୍କୁ ସମ୍ମାନିତ କରାଯାଇପାରିବ।
ଜୋହାନାର ବଢୁଥିବା ବୟସ ତାଙ୍କ ପାଇଁ ଅସୁବିଧାର କାରଣ ପାଲଟିଥିଲା। ୨୦୨୨ରେ ସେ ନିଜେ କହିଥିଲେ, ମୁଁ କାହିଁକି ବଞ୍ଚିଛି? ମୋର ସାଥୀମାନେ ମରି ସାରିଛନ୍ତି। ମୁଁ କେବେ ମରିବି? ମୁଁ ଗୋଟିଏ ସ୍ଥାନରେ ବସି ଥକି ଯାଉଛି। ମୁଁ ଚାଲିପାରିବି ନାହିଁ। ମୁଁ ଶୋଇପାରୁ ନାହିଁ ଏହିପରି ବଞ୍ଚି ରହିବାର କୌଣସି ଅର୍ଥ ନାହିଁ।

Share