ପୃଥିବୀର ମୃତ୍ୟୁ

ଯାହାର ଜନ୍ମ ଅଛି, ତା’ର ମଧ୍ୟ ଦିନେ ମୃତ୍ୟୁ ଅଛି। ଆମର ଗ୍ରହ ପୃଥିବୀ ଅତୀତରେ ୪୫୦ କୋଟି ବର୍ଷ ପୂର୍ବେ ସୌର ନେବୁଲାରୁ ଜନ୍ମ ହୋଇଥିଲା। ବିଶ୍ୱାସ କରାଯାଏ ଯେ, ଆହୁରି ୪୫୦ କୋଟି ବର୍ଷ ପରେ ଏହାର ମୃତ୍ୟୁ ହେବ। ଆଉ ପୃଥିବୀର ଏହି ମୃତ୍ୟୁର କାରଣ ହେବ ତା’ର ଜନ୍ମଦାତା ତଥା ଆମ ସୌରଜଗତର ମୁଖିଆ ନିଜେ ସୂର୍ଯ୍ୟ। ସୂର୍ଯ୍ୟ ପ୍ରକୃତରେ ଏକ ନକ୍ଷତ୍ର, ଯାହା ଆଗାମୀ ଦିନରେ ପୃଥିବୀକୁ ଗିଳି ଦେବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ନିଜ ଗ୍ରହକୁ ଗିଳିଦେଲା ତାରା
୨୦୨୦ ମସିହା ମେ’ରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚ୍ୟୁଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ଏମ୍‌ଆଇଟି)ର ବୈଜ୍ଞାନିକମାନେ ମହାକାଶରେ ଏକ ଅଦ୍ଭୁତ ଘଟଣା ଲକ୍ଷ୍ୟ କଲେ। ଗରୁଡ଼ ନକ୍ଷତ୍ରମଣ୍ଡଳ (Aquilla)ରେ ଆମଠାରୁ ୧୨୦୦ ଆଲୋକବର୍ଷ ଦୂରତାରେ ଥିବା ଗୋଟିଏ ତାରା (ନାମ-ZTF SLRN-୨୦୨୦) ହଠାତ୍‌ ଅସମ୍ଭବ ତେଜୋଦୀପ୍ତ ହୋଇ ଉଠି ଆକାରରେ ଫୁଲିବାକୁ ଲାଗିଲା। ମାତ୍ର ୧୦ ଦିନର ବ୍ୟବଧାନରେ ଏହା ଉଜ୍ଜ୍ୱଳତାରେ ପ୍ରାୟ ୧୦୦ ଗୁଣ ବୃଦ୍ଧି ପାଇ ପ୍ରସାରିତ ହେବାକୁ ଲାଗିଲା। ଏହା ଘଟଣାକ୍ରମେ ନିଜର ବୃହସ୍ପତି ଭଳି ଆକାରର ଗୋଟିଏ ଗ୍ୟାସୀୟ ଗ୍ରହର କକ୍ଷପଥ ଅତିକ୍ରମ କରି ଏକ ଭୟାନକ ଦାନବ ସଦୃଶ ଗ୍ରହଟିକୁ ସମ୍ପୂର୍ଣ୍ଣ ଗିଳିଦେଲା ଏବଂ ଗ୍ରହଟି ତାରାର ବିଶାଳ ବପୁ ମଧ୍ୟରେ ଅନ୍ତର୍ହିତ ହୋଇଗଲା। ଏହିପରି ଭାବରେ ମହାକାଶରେ ଏକ ଗ୍ରହର ଅପମୃତ୍ୟୁ ଘଟିଲା। ସମୟକ୍ରମେ, ତାରାଟି ଉଜ୍ଜ୍ୱଳତାରେ ହ୍ରାସ ପାଇ ପୁଣି ପୂର୍ବାବସ୍ଥାକୁ ଫେରି ଆସିଲା।
ବୈଜ୍ଞାନିକମାନେ ପ୍ରଥମେ ଏହି ଘଟଣାକୁ ଦୁଇଟି ନକ୍ଷତ୍ରର ସଂଘର୍ଷ ବୋଲି ଧରି ନେଇଥିଲେ। ମାତ୍ର ପରବର୍ତ୍ତୀ ପରୀକ୍ଷାରୁ ଜଣାପଡ଼ିଲା ଯେ, ଦୁଇଟି ନକ୍ଷତ୍ରର ସଂଘର୍ଷରୁ ଯେତିକି ଶକ୍ତି ଉତ୍ପନ୍ନ ହେବା କଥା, ଏଥିରେ ତା’ଠାରୁ ଯଥେଷ୍ଟ କମ୍‌ ଶକ୍ତି ଉତ୍ସର୍ଜିତ ହେଉଛି। ପରବର୍ତ୍ତୀ ସମୟରେ, ବୈଜ୍ଞାନିକମାନେ ଏହାକୁ ଇନଫ୍ରାରେଡ୍‌ ତରଙ୍ଗ ଦୈର୍ଘ୍ୟରେ ପର୍ଯ୍ୟବେକ୍ଷଣ କରିବାରୁ ଏହି ସ୍ଥାନରେ ଏକ ବିଶାଳକାୟ ଧୂଳିର ପିଣ୍ଡ ଦେଖିବାକୁ ମିଳିଥିଲା। ସୁତରାଂ ଏହା ଯେ ଏକ ମତ ତାରାପିଣ୍ଡର ଅବଶେଷ, ତାହା ସ୍ପଷ୍ଟ ହୋଇଯାଇଥିଲା। ବୈଜ୍ଞାନିକମାନଙ୍କୁ ଏହି ପ୍ରକ୍ରିୟାକୁ ବିଶ୍ଳେଷଣ କରି ଉପରୋକ୍ତ ସିଦ୍ଧାନ୍ତରେ ପହଞ୍ଚତ୍ବା ପାଇଁ ତିନି ବର୍ଷ ସମୟ ଲାଗିଯାଇଥିଲା।
ବୈଜ୍ଞାନିକମାନେ ପୂର୍ବରୁ କୌଣସି ବୟସ୍କ ଗ୍ରହ ନିଜର ପରିଣତ ବୟସରେ ଅଚାନକ ପ୍ରସାରିତ ହୋଇ ନିଜ ଗ୍ରହମାନଙ୍କୁ ଭକ୍ଷଣ କରିବା କଥା କେବଳ ପଢିଥିଲେ, ମାତ୍ର ଏହାକୁ ସ୍ବଚକ୍ଷୁରେ କେବେ ଦେଖି ନଥିଲେ। ଏମ.ଆଇ.ଟି.ର ଜଣେ ଗବେଷକ କିଶଳୟ ଦେ’ କହନ୍ତି ଯେ, ”ଆମ ସୂର୍ଯ୍ୟ ମଧ୍ୟ ଦିନେ ପୃଥିବୀକୁ ଗ୍ରାସ କରିବ ବୋଲି ଆମେ ଜାଣିଛେ। ମାତ୍ର ଏହା ସତ କି ମିଛ ପରୀକ୍ଷା କରିବା ପାଇଁ ଆମ ପାଖରେ କୌଣସି ଉପାୟ ନ ଥିଲା। ଆମେ ଏବେ ପ୍ରତ୍ୟକ୍ଷ ଭାବେ ଏହାର ଏକ ନମୁନା ସିଧାସଳଖ ଅନ୍ତରୀକ୍ଷରେ ଦେଖିବାକୁ ପାଇଲେ!“
ନକ୍ଷତ୍ରର ମୃତ୍ୟୁ
କୌଣସି ନକ୍ଷତ୍ର ମୁଖ୍ୟତଃ ହାଇଡ୍ରୋଜେନ ଗ୍ୟାସରେ ଗଢ଼ା। ନକ୍ଷତ୍ରର ଅଭ୍ୟନ୍ତର ଏକ ବୃହତ୍‌ ପରମାଣୁ ରିଆକ୍ଟର ସଦୃଶ। ଏଠାରେ ହାଇଡ୍ରୋଜେନର ନିଉକ୍ଲିୟସ୍‌ ସବୁ ଏକ ତାପ-ନାଭିକୀୟ ସଂଯୋଜନ (Thermonuclear Fusion) ପ୍ରତିକ୍ରିୟା ଦ୍ୱାରା ପରସ୍ପର ସହିତ ସଂଯୋଜିତ ହୋଇ ହିଲିୟମ୍‌ ନିଉକ୍ଲିୟସରେ ରୂପାନ୍ତରିତ ହୁଅନ୍ତି। ଏହି ପ୍ରକ୍ରିୟାରେ କିଛି ବସ୍ତୁତ୍ୱର ବିଲୋପନ ଘଟିଥାଏ। ଏହା ଶକ୍ତିରେ ପରିଣତ ହେବାଦ୍ୱାରା ନକ୍ଷତ୍ରଟିର ବିପୁଳ ଶକ୍ତିଉତ୍ସ ସଷ୍ଟି ହୁଏ ଯାହା ତାପ ଓ ଆଲୋକ ରୂପରେ ବିକିରିତ ହୁଏ। ନକ୍ଷତ୍ରଟି ନିଜର ଜୀବିତ ଅବସ୍ଥାରେ ଆକାଶରେ ଏହିପରି ଆଲୋକ ଓ ଉତ୍ତାପ ବିକିରଣ କରି ଚାଲେ।
ମାତ୍ର ଦିନେ ନକ୍ଷତ୍ରର ଜୀବନରେ ନଇଁଆସେ ବୟସର ସନ୍ଧ୍ୟା। ନକ୍ଷତ୍ରର ସୀମିତ ହାଇଡ୍ରୋଜେନ ଇନ୍ଧନର ଉତ୍ସ ସରି ଆସେ ଏବଂ ଅଭ୍ୟନ୍ତରରେ ସଞ୍ଚାଳିତ ପ୍ରକ୍ରିୟାବଳୀ ସ୍ତିମିତ ହୋଇଯାଏ। ଏପରି ଅବସ୍ଥାରେ, ଅଭ୍ୟନ୍ତରରେ ଘଟୁଥିବା ଏହି ପ୍ରକ୍ରିୟା ନକ୍ଷତ୍ରର ଅନ୍ୟ ସମସ୍ତ ଅଂଶକୁ ସମ୍ପ୍ରସାରିତ ହୁଏ ଏବଂ ନକ୍ଷତ୍ରଟିର ଅବଶିଷ୍ଟ ଅଂଶରେ ଥିବା ହାଇଡ୍ରୋଜେନ୍‌ ନିୟୁକ୍ଲିୟସ ସବୁ ମଧ୍ୟ ହିଲିୟମ୍‌ରେ ପରିଣତ ହେବା ଆରମ୍ଭ କରନ୍ତି। ଫଳରେ ଉପରୋକ୍ତ ତାପ-ନାଭିକୀୟ ସଂଯୋଜନ ପ୍ରକ୍ରିୟା ବହୁଗୁଣିତ ହୋଇ ନକ୍ଷତ୍ରଟି ପ୍ରଚଣ୍ଡ ଶକ୍ତି ଉତ୍ସର୍ଜନ କରିବାକୁ ଲାଗେ। ଏହି ପ୍ରଚଣ୍ଡ ଶକ୍ତି ବଳରେ ନକ୍ଷତ୍ରଟି ନିଜର ମାଧ୍ୟାକର୍ଷଣ ସଙ୍କୋଚନ ସୀମା ଅତିକ୍ରମ କରି ଆକାରରେ ଯଥେଷ୍ଟ ଫୁଲି ଉଠେ। ଏହି ଅବସ୍ଥାରେ ନକ୍ଷତ୍ରରୁ ଉତ୍ସର୍ଜିତ ଆଲୋକ ନକ୍ଷତ୍ରର ଅଧିକ ପୃଷ୍ଠତଳ ଉପରେ ବିସ୍ତାରିତ ହେଉଥିବାରୁ ଏହା ରଙ୍ଗରେ ଲାଲ ଦେଖାଯାଏ। ନକ୍ଷତ୍ରର ଏହି ବିଶାଳ ଲାଲ ବର୍ଣ୍ଣର ରୂପକୁ ଲୋହିତ ଦାନବ (Red Giant) କହନ୍ତି। ଏହି ଅବସ୍ଥାରେ ନକ୍ଷତ୍ରଟି ଏତେ ପ୍ରସାରିତ ହୁଏ ଯେ, ଏହା କିଛି ଗ୍ରହଙ୍କ କକ୍ଷପଥକୁ ଲାଗି ଆସି ଗ୍ରହମାନଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରିବାର ସମ୍ଭାବନା ସୃଷ୍ଟି ହୁଏ।
ସୂର୍ଯ୍ୟ ପୃଥିବୀକୁ ଗ୍ରାସ କରିବ
ଆମର ତାରା ସୂର୍ଯ୍ୟ ୪୫୦ କୋଟି ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା। ସୂର୍ଯ୍ୟର ଆୟୁଷ ପ୍ରାୟ ଅଧାଅଧି ସରିଗଲାଣି। ଏହା ଏବେ ନିଜର ଯୁବାବସ୍ଥାରେ ଅଛି ଏବଂ ଅନ୍ତରୀକ୍ଷରେ ପ୍ରଚୁର ଆଲୋକ ଓ ଉତ୍ତାପ ବିକିରଣ କରି ଚାଲିଛି। ଗଣନାରୁ ଜଣାଯାଏ ଯେ, ଏହା ଆଉ ପ୍ରାୟ ୪୫୦ କୋଟି ବର୍ଷ ପରେ ‘ଲୋହିତ ଦାନବ’ ଅବସ୍ଥାରେ ପହଞ୍ଚତ୍ବ ଏବଂ ନିଜେ ସୃଷ୍ଟି କରିଥିବା ଗ୍ରହମାନଙ୍କୁ ଗ୍ରାସ କରିବ। ଅନ୍ୟପକ୍ଷରେ ଜାଣିବାକୁ ମିଳେ ଯେ, ସୂର୍ଯ୍ୟ ଏହି ଅବସ୍ଥାରେ ନିକଟତମ ଗ୍ରହ ବୁଧ ଓ ଶୁକ୍ରଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରି ପୃଥିବୀର ଅତି ପାଖକୁ ଲାଗି ଆସିବ। ଏହି ଅବସ୍ଥାରେ ସୂର୍ଯ୍ୟର ପ୍ରଚଣ୍ଡ କିରଣରେ ପୃଥିବୀର ବାତାବରଣ ଅତିଶୟ ଉତ୍ତପ୍ତ ପାଲଟିଯିବ। ଏହି ପ୍ରଚଣ୍ଡ ତାପମାତ୍ରାରେ ସମୁଦ୍ରର ସମସ୍ତ ଜଳ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ଭରିଯିବ। ଜଳୀୟବାଷ୍ପ ଏକ ଉତ୍ତମ ସବୁଜଘର ଗ୍ୟାସ୍‌ ହୋଇଥିବାରୁ ଏହା ପୃଥିବୀରୁ ବିକିରିତ ତାପରଶ୍ମିକୁ ଅବଶୋଷଣ କରିବା ହେତୁ ପୃଥିବୀର ତାପମାତ୍ରା ଆଶାତୀତ ବୃଦ୍ଧି ପାଇବ ଏବଂ ଆଉ ଜୀବନୋପଯୋଗୀ ହୋଇ ରହିବ ନାହିଁ। ଘଟଣାକ୍ରମେ, ସୂର୍ଯ୍ୟ ପୃଥିବୀର ଆହୁରି ପାଖକୁ ଲାଗି ଆସି ପୃଥିବୀକୁ ସମ୍ପୂର୍ଣ୍ଣ ଗ୍ରାସ କରିବ ଏବଂ ଏହିପରି ଭାବରେ ପୃଥିବୀର ମୃତ୍ୟୁ ହେବ।
ସୁତରାଂ ଯେଉଁ ସୂର୍ଯ୍ୟ ଦିନେ ପୃଥିବୀକୁ ଜନ୍ମ ଦେଇଥିଲା, ସେ ଆଗାମୀ ଦିନରେ ହିଂସ୍ର ପାଲଟିଯାଇ ନିଜର ସନ୍ତାନ ପୃଥିବୀକୁ ଧ୍ବଂସ କରିବ। ମାତ୍ର ଆମେ ଏଥିରେ ବିବ୍ରତ ହେବା ଉଚିତ ନୁହେଁ; କାରଣ ଏହା ଦୀର୍ଘ ୪୫୦ କୋଟି ବର୍ଷ ପରେ ଘଟିବ ଯେତେବେଳେ ଆମେ କିମ୍ବା ଆମର ନିକଟ ବଂଶଧର କେହି ଜୀବିତ ନଥିବେ!

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନ ଭାବନା

ଇଂରେଜ ପଦାର୍ଥ ବିଜ୍ଞାନୀ ଜନ୍‌ ଜିମ୍ୟାନ୍‌ କହିଥିଲେ,‘ବିଜ୍ଞାନ ହେଉଛି ସାମାଜିକ।’ ତେଣୁ ସମାଜ ବା ଜନସାଧାରଣଙ୍କ ସହ ବିଜ୍ଞାନ ଓତପ୍ରୋତ ଭାବେ ଜଡ଼ିତ। ତେଣୁ ବୈଜ୍ଞାନିକ...

ସଭିଙ୍କ ପ୍ରିୟ

ଜୀବନଯାତ୍ରାରେ ନାରୀଟିଏ ମା’, ଝିଅ, ଭଉଣୀ, ସ୍ତ୍ରୀ, ବାନ୍ଧବୀ ଭଳି ଅନେକ ଭୂମିକାରେ ଅବତୀର୍ଣ୍ଣ। ସେ ଦାୟିତ୍ୱବୋଧତା, କର୍ତ୍ତବ୍ୟପରାୟଣତା, ସହନଶୀଳତା ଏବଂ ଭଲ ଗୁଣ ଯୋଗୁ...

୧୦ ବର୍ଷ ପୂର୍ବରୁ ହାର୍ଟ ଆଟାକର ସତର୍କ ସୂଚନା ଦେବ ଏଆଇ ଜ୍ଞାନକୌଶଳ : ଗବେଷଣା ରିପୋର୍ଟ…

ଜେନେଭା,୪।୧୨ : ବିଶ୍ୱ ସୱାସ୍ଥ୍ୟ ସଂଗଠନ ଅନୁଯାୟୀ ହାର୍ଟ ଆଟାକ ସାରା ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି। ଆକଳନ କରାଯାଏ ଯେ ହାର୍ଟ ଆଟାକ...

ରକ୍ତ ପରୀକ୍ଷାରୁ ଜାଣିହେବ ପୃଥୁଳତା

ଆଜିକାଲି ପୃଥୁଳତା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭାହେଲାଣି। ଅବ୍ୟବସ୍ଥିତ ଜୀବନଶୈଳୀ, ଖାଦ୍ୟପେୟ ଆଦି କାରଣରୁ ଜଣେ ପୃଥୁଳତା ପରି ସମସ୍ୟାର ସମ୍ମୁଖୀନ ହୋଇଥାଏ।...

ସୋସିଆଲ୍‌ ମିଡିଆ ଗ୍ରୁପ୍‌

ବର୍ତ୍ତମାନ ବିଭିନ୍ନ ସୋସିଆଲ୍‌ ସାଇଟ୍‌ ଗ୍ରୁପ୍‌ ଅନେକଙ୍କୁ ଏକାଠି ଯୋଡ଼ି ରଖିବା ସହ ବିଭିନ୍ନ ସୂଚନା ଏକା ସଙ୍ଗେ ସମସ୍ତଙ୍କ ପାଖରେ ପହଞ୍ଚାଇବାର ଉତ୍ତମ ମାଧ୍ୟମ...

ହାରିବାନି ହରାଇବା

କୌଣସି ଶାରୀରିକ ସମସ୍ୟାକୁ ନ ଡ଼ରି ଏହା ବିରୋଧରେ ଲଢ଼େଇ କରିବା ଆବଶ୍ୟକ। ବିଶ୍ୱସ୍ତରରେ ଏଡସ୍‌ର ମୁକାବିଲା ଲାଗି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି...

କଫି ପାଇଁ ଛାଡ଼ପତ୍ର

ଇସ୍‌ଲାମିକ୍‌ ଦେଶ ତୁର୍କୀ ନିକଟରେ ଭୟଙ୍କର ଭୂକମ୍ପର ଶିକାର ହୋଇଛି। ଏଠାରେ ବହୁତ କ୍ଷୟକ୍ଷତି ହେବା ସହ ଏବେବି ଅନେକ ମୃତକଙ୍କୁ ଠାବ କରାଯାଇପାରି ନାହିଁ।...

ଛୋଟ ପିଲାଙ୍କ ସ୍ମରଣଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଭିଟାମିନ୍‌ ବି-୧୨ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମକଲେ ହାଲିଆ ଲାଗେ। ଏହାର ଅଭାବରେ...

Advertisement
Archives

Model This Week