କଲରାପତରିଆର ମୃତ୍ୟୁକୁ ନେଇ ହେବ ତଦନ୍ତ

ବୁଗୁଡା,୨୯ା୧୧: ବୁଗୁଡା ବନାଞ୍ଚଳରେ ଗୁରୁବାର ଫାଶରେ ପଡି ମୃତ୍ୟୁ ଘଟିଥିବା କଲରାପତରିଆ ବାଘର ମୃତଦେହ ଶୁକ୍ରବାର ସମସ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍ଥାନୀୟ ବନ କାର୍ଯ୍ୟାଳୟ ମଧ୍ୟରେ ପୋଡି ଦିଆଯାଇଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି, ବାଘଟି ଫାଶରେ ପଡିଥିବାରୁ ଶ୍ୱାସରୁଦ୍ଧ ଓ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବାଘର ମୃତ୍ୟୁ ପାଇଁ ଦାୟୀ କିଏ ଏହାର ତଦନ୍ତ କରିବାକୁ ଡିଏଫ୍‌ଓ ଓ ବନବିଭାଗର ଇଣ୍ଟେଲିଜେନ୍ସକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଘଟି କିପରି ଫାଶରେ ପଡିଲା, କିଏ ଫାଶ ବସାଇଥିଲା ଏସବୁ ଦିଗକୁ ନେଇ ତଦନ୍ତ ହେବ।
ବାଘର ମୃତଦେହକୁ ବୁଗୁଡା ପ୍ରାଣୀ ଚିକିତ୍ସା ଅଧିକାରୀ ଭଗବତୀ ପ୍ରସାଦ ଦାଶ ବ୍ୟବଛେଦ କରିଥିଲେ। ଫାଶରେ ଥିବା ଷ୍ଟିଲ୍‌ ତାର ଛାତିରେ ପଶି ଶ୍ୱାସରୁଦ୍ଧ ହୋଇ ବାଘର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଥିଲେ। ବାଘଟି ୧୦ ବର୍ଷର ଏକ ଅଣ୍ଡିରା କଲରାପତରିଆ ବୋଲି ସେ କହିଛନ୍ତି। ଏହାପରେ କାର୍ଯ୍ୟାଳୟ ମଧ୍ୟରେ ବାଘର ଦାହ କରାଯାଇଥିଲା। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଶାନ୍ତ କୁମାର ମିଶ୍ର, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା, ଏସିଏଫ୍‌ ପ୍ରଭାକର ନାୟକ, ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ, ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ବନସୁରକ୍ଷା ସମିତି କର୍ମକର୍ତ୍ତା, ସରପଞ୍ଚ, ସମିତିସଭ୍ୟ ଏବଂ ବନକର୍ମଚାରୀଙ୍କ ଉପସ୍ଥିତିରେ ଏସବୁ କାର୍ଯ୍ୟ ହୋଇଥିଲା।
ପ୍ରକାଶ ଯେ, ଗୁରୁବାର ସକାଳେ ବୁଗୁଡା ବ୍ଲକ ମାଣିତରା ରାସ୍ତା ବଡପଥର ନିକଟ କୁଣ୍ଡାଖାଇ ମୁଣ୍ଡିଆରେ ବାର୍‌ହା ଫାଶରେ ବାଘଟି ପଡିଯାଇଥିଲା। ବନାଞ୍ଚଳ ଅଧିକାରୀ ବେହେରାଙ୍କ ନେତୃତ୍ୱରେ ବନକର୍ମଚାରୀ ଓ ସ୍ଥାନୀୟ ଯୁବକ ତାକୁ କାବୁକରି କିରିଆମ୍ବା ଜଙ୍ଗଲକୁ ଛାଡିବାକୁ ନେବା ବେଳେ ସେଠାରେ ତାର ମୃତ୍ୟୁ ହୋଇଥିଲା।