ବାଇକ୍‌ରେ ବୁହାହେଲା ମୃତଦେହ

ଜଗନ୍ନାଥପ୍ରସାଦ, ୧୭ା୧(ଡି.ଏନ.ଏ.): ମୃତଦେହକୁ ସମ୍ମାନର ସହ ଘରେ ପହଞ୍ଚାଇବା ପାଇଁ ସରକାର ମହାପ୍ରୟାଣ ଯୋଜନା କରିଛନ୍ତି। କିନ୍ତୁ ଏହି ଯୋଜନା ସବୁ ସ୍ଥାନରେ କାର୍ଯ୍ୟ କରୁନାହିଁ। ଶନିବାର ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ।

ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗ୍ରାମର ନୀଳମାଧବ ପ୍ରଧାନ(୭୦) ଶନିବାର ସକାଳେ ଗଁା ଛକ ଦୋକାନରେ ଚା’ ପିଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ପଡ଼ିଯାଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନୀଳମାଧବଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତସ୍ବାସ୍ଥ୍ୟ କେନ୍ଦ୍ରରେ ମହାପ୍ରୟାଣ ଗାଡ଼ି ଉପଲବ୍ଧ ନଥିବାରୁ ପରିବାର ଲୋକେ ମୃତଦେହ ନେବାକୁ ଏକ ଅଟୋ ଡାକିଥିଲେ। ଅଟୋଚାଳକ ଦେଢ଼ କିଲୋମିଟର ରାସ୍ତାକୁ ୨ହଜାର ଟଙ୍କା ଭଡ଼ା କହିବାରୁ ପରିବାର ଲୋକେ ମୃତଦେହକୁ ବାଇକ୍‌ରେ ଘରକୁ ନେଇଥିଲେ। ସ୍ଥାନୀୟ ଲୋକେ ଏହାର ଫଟୋ ଉଠାଇ ଭାଇରାଲ କରି ଦେଇଥିଲେ। ମୃତଦେହ ଗ୍ରାମରେ ପହଞ୍ଚତ୍ବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ଏ ନେଇ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଦାସ କିରଣ କୁମାରଙ୍କ ସହ ଯୋଗାଯୋଗ କରିବାରୁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ଗାଡ଼ିର ସୁବିଧା ନାହିଁ ଏବଂ ୧୦୨/୧୦୮ଗାଡିରେ ମୃତଦେହ ନେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ନାହିଁ। ତେଣୁ ମୃତକ ପରିବାର ଲୋକେ ନିଜ ବ୍ୟବସ୍ଥାରେ ମୃତଦେହକୁ ନେଇଛନ୍ତି ବୋଲି କହିଥିଲେ। ତେବେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଗୋଟିଏ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଦାବି ହୋଇଛି।