Categories: ଜାତୀୟ

ମୃତ ମହିଳା ଜିତିଲେ ନିର୍ବାଚନ

ବିଜ୍‌ନୋର, ୧୬ା୫: ଜଣେ ମହିଳାଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ସେ ଉତ୍ତରପ୍ରଦେଶ ପୌର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସମର୍ଥକମାନେ ତାଙ୍କୁ ବିଜୟୀ କରିବା ପାଇଁ ନେଇଥିବା ଶପଥକୁ ପୂରଣ କରିଛନ୍ତି। ୟୁପିର ବିଜନୋର ଜିଲାରେ ଅନୁଷ୍ଠିତ ପୌର ନିର୍ବାଚନରେ ଆଶିୟା ବି ପାଖାପାଖି ୪୪ ପ୍ରତିଶତ ଭୋଟ ପାଇଛନ୍ତି। ୩୦ ବର୍ଷୀୟା ଆଶିୟାଙ୍କ ଫୁସ୍‌ଫୁସ୍‌ ଓ ତଳିପେଟରେ ସଂକ୍ରମଣ ହେବାରୁ ନିର୍ବାଚନର ୧୨ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ଯୋଗୁ ମୃତ୍ୟୁ ପରେ ମଧ୍ୟ ଲୋକେ ଭୋଟ ଦେଇ ଜିତାଇଛନ୍ତି। ତାଙ୍କୁ ମରଣୋତ୍ତର ଭାବେ ବିଜୟୀ ଘୋଷଣା କରାଯାଇଛି। ଆଶିୟାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ସ୍ବାମୀ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବାଲଟ ପେପରରୁ ନାଁ କାଟିବା ବ୍ୟବସ୍ଥା ନ ଥିଲା ବୋଲି ଜିଲା ଅଧିକାରୀ ଭଗବାନ ଶରନ କହିଛନ୍ତି।

Share