ବାଇକରେ ବୁହା ହେଲା ମୃତଦେହ

ଅମରପାଲି,୨୪।୯(ପୀତାମ୍ବର ସାହୁ)ପୁଣି ମୃତଦେହକୁ ହତାଦାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ସରକାରଙ୍କ ଯୋଜନାର ବିଫଳତା ଦେଖିବାକୁ ମିଳିଛି। ମୃତଦେହ ବୁହାହେବା ପାଇଁ ମହାପରାୟଣ ଗାଡ଼ି ନ ମିଳିବାରୁ ବାଇକରେ ବୁହା ହେଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମରେ। ଆଜି ସକାଳୁ ଅମରପାଲି ଗ୍ରାମରେ ଗୁଲପି ବେହେରା(୪୫)ନାମକ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳା ଜଣକ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ କେଶାପାଲି ଗ୍ରାମର ଅଟନ୍ତି। ପ୍ରାୟ ୪ ମାସ ପୂର୍ବରୁ ଦେହ ଅସୁସ୍ଥ ହେତୁ ଅମରପାଲି ସ୍ଥିତ ତାଙ୍କ ଭଉଣୀ ଜ୍ବାଇଁ ମହିମତ ଭେଷର ଘରେ ରହି ଚିକିତ୍ସିତ ହେଉଥିଲେ। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଡାକ୍ତରଖାନାକୁ ମଧ୍ୟ ଯାଇପାରୁ ନ ଥିଲେ। ତେବେ ଆଜି ସକାଳୁ ତାଙ୍କ ମୃତ୍ୟୁ ପରେ ତାଙ୍କ କେଶାପାଲି ଗ୍ରାମର ଘର ଲୋକଙ୍କୁ ଖବର ଦିଆ ଯାଇଥିଲା। ତାଙ୍କ ଘର ଲୋକେ ଆସିଥିଲେ ମଧ୍ୟ ମୃତଦେହ ନେବାପାଇଁ ଗାଡିମଟର ଯୋଗାଡ କରି ପରି ନ ଥିଲେ। ଏପରି କି ମହାପରାୟଣ ଗାଡ଼ିକୁ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା। ପରିବାରର ସମସ୍ତ ସଦସ୍ୟ କୁଲି ମଜୁରୀ କରି ଚଳୁଥିବାରୁ ମୃତଦେହ ନେବା ପାଇଁ ଗାଡ଼ି କରିପାରି ନ ଥିଲେ। ତେବେ ମୃତଦେହକୁ ଏକ ବାଇକରେ ଦୁଇ ଜଣ ଯୁବକ ତାଙ୍କ ଘର କେଶାପାଲିକୁ ନେଉଥିବା ଦେଖିବାକୁ ମିଳିଛି।