ସେଲ୍‌ଫି ନେବା ସମୟରେ ନଦୀରେ ଖସି ପଡ଼ିଥିଲେ ଯୁବତୀ: ଆଜି ମିଳିଲା ମୃତଦେହ

ସୁନ୍ଦରଗଡ଼/ବାଲିଶଙ୍କରା,୪।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ ନଦୀର ଘୋଘର ଘାଟକୁ ରବିବାର ପିକ୍‌ନିକ୍‌ କରିବାକୁ ଆସିଥିବା ଜଣେ ଯୁବତୀ ସେଲ୍‌ଫି ନେବାବେଳେ ପାଣିରେ ଖସି ପଡ଼ି ନିଖୋଜ ଥିଲେ। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁରର ଅନୁପମା ପ୍ରଜାପତି(୨୪)। ଖବର ପାଇ ବାଲିଶଙ୍କରା ଅଗ୍ନିଶମ ବିଭାଗ ଓ ତଲସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାଲି ସନ୍ଧ୍ୟା ୫ଟାରୁ ଆଜି ସକାଳ ଯାଏ ଖୋଜାଖୋଜି କରିବା ପରେ ମୃତଦେହ ମିଳିଛି। ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ସୂଚନାଯୋଗ୍ୟ, ରବିବାର ରାଜଗାଙ୍ଗପୁରରୁ ଏକ ପରିବାରର ୧୫ ଜଣ ଏଠାକୁ ପିକ୍‌ପିକ୍‌ କରିବା ପାଇଁ ଆସିଥିଲେ। ଏହି ଯୁବତୀ ଜଣେ ପୁଅଙ୍କ ସହ ମିଶି ସେଲ୍‌ଫି ନେଉଥିବା ବେଳେ ପାଣିରେ ଖସି ପଡ଼ିଥିଲେ। ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇ ଯୁବକ ଜଣକ ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ବେଳେ ଯୁବତୀଙ୍କ ମୃତଦେହ ଖୋଜା ଚାଲିଥିଲା।