୬ ମାସ ତଳେ କରିଥିଲେ ପ୍ରେମ ବିବାହ, ଆଜି ଗଛରୁ ମିଳିଲା ଝୁଲନ୍ତା ମୃତଦେହ

କୋକସରା,୧୧ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଆଁଏଲି ଗ୍ରାମର ଜଣେ ଯୁବକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଆଁଏଲି ଗ୍ରାମର ଦୁଷ୍ମନ୍ତ ମାଝି(୨୦) । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ସୂଚନାନୁସାରେ, ବୁଧବାର ସକାଳୁ ଘର ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଷ୍ମନ୍ତ ବେକରେ ରଶିଲାଗି ଝୁଲୁଥିବା ତାଙ୍କ ମା’ ପ୍ରଭା ମାଝି ଦେଖିବାକୁ ପାଇଥିଲେ । ପରେ ଘରର ଅନ୍ୟମାନଙ୍କୁ ଜଣାଇ ଦୁଷ୍ମନ୍ତଙ୍କୁ ବଞ୍ଚାଇବା ପାଇଁ ଗଛରୁ ରଶି କାଟି ଓହ୍ଲାଇଥିଲେ । ହେଲେ ସେତେବେଳକୁ ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇସାରିଥିଲା । ପରେ ପରିବାର ଲୋକେ ଗ୍ରାମରକ୍ଷୀଙ୍କୁ ଜଣାଇବାରୁ ସେ କୋକସରା ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତ ଅନୁଧ୍ୟାନ କରିବା ସହ ମୃତଦେହ ଜବତ କରି କୋକସରା ଡାକ୍ତରଖାନାକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

ତେବେ ମୃତ ଦୁଷ୍ମନ୍ତ ଗତ ୬ମାସ ତଳେ ପ୍ରେମ ବିବାହ କରିଥିବା ବେଳେ କିଛି ଦିନ ଆଗରୁ ତାଙ୍କ ସ୍ତ୍ରୀ ବାପଘରକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇ ଘରକୁ ଫେରି ନ ଥିଲେ। ତେବେ ଦୁଷ୍ମନ୍ତ ତାଙ୍କ ସ୍ତ୍ରୀ ସହ କୌଣସି ମନୋମାଳିନ୍ୟ କିମ୍ବା ଅନ୍ୟ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି । ଏନେଇ କୋକସରା ଥାନା କେସ୍‌ ନମ୍ବର ୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ସବ୍‌ଇନ୍ସପେକ୍ଟର ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।