ଦାଦନ ଖଟିବାକୁ ଯାଇ ଘରକୁ ଫେରିଲା ମୃତଦେହ, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଚାନ୍ଦବାଲି,୨ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲିରେ ସାମ୍ନାକୁ ଆସିଛି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ। ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟୁଥିଲେ କିନ୍ତୁ ଶ୍ରମିକଙ୍କ ମୃତଦେହ ଏବେ ତାଙ୍କ ଗାଁକୁ ଫେରିଛି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ ଭାଟପଡ଼ା ପଞ୍ଚାୟତ ଅନ୍ତର୍ଗତ ରାଉତପଡ଼ା ଗ୍ରାମରୁ। ରାଉତପଡ଼ା ଗ୍ରାମର ମାଧବାନନ୍ଦ ଦାସଙ୍କ ପୁଅ ଅକ୍ଷୟ ଦାସ (୩୫) ରାଜସ୍ଥାନରେ ଶ୍ରମିକ ଭାବରେ କାର୍ଯ୍ୟକରୁଥିଲେ। ଘଣ୍ଟେଶ୍ୱର ଗୋପୀନାଥପୁର ଗ୍ରାମର ବୁଲୁ ସାହୁ ରାଜସ୍ଥାନର ଉଦୟପୁର ଠାରେ ଠିକାଦାର କରୁଥିଲେ। ବୁଲୁ ସାହୁଙ୍କ ପାଖରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ୧୦ ଦିନ ଧରି ଅକ୍ଷୟ ଜ୍ୱରରେ ପଡ଼ି ଅସୁସ୍ଥ ଥିବା ବେଳେ ଚିକିତ୍ସା ଅଭାବରୁ ହଠାତ ତାଙ୍କର ମୃତ୍ୟୁ ହୋଇଥିଲା। ଅକ୍ଷୟଙ୍କ ମୃତଦେହ ଠିକାଦାର ବୁଲୁ ସାହୁ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଅକ୍ଷୟଙ୍କ ଗ୍ରାମକୁ ପଠାଇଥିଲେ। ତେବେ ଉକ୍ତ ଘଟଣାରେ ପରିବାର ଲୋକେ ଠିକାଦାର ବୁଲୁ ସାହୁଙ୍କୁ ଦାୟୀ କରିବା ସହିତ ଆସିଥିବା ଆମ୍ବୁଲାନ୍ସ ଏବଂ ୪ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ଅକ୍ଷୟଙ୍କ ପରିବାରକୁ ନ୍ୟାୟ ନ ମିଳିବା ଯାଏ ଆମ୍ବୁଲାନ୍ସକୁ ଅଟକ ରଖିବେ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି l