ଡଙ୍ଗା ବୁଡି ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କୋରୁକୋଣ୍ଡା, ୨୫।୦୫(ଡି.ଏନ. ଏ): ଗତ କାଲି ସଂଧ୍ୟା ସମୟରେ ଡଙ୍ଗା ବୁଡିବା ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଅଗ୍ନିଶମ କର୍ମଚାରୀ ଖୋଜା ଖୋଜି କରିବା ପରେ ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଳକର ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଡାଇକ-୩ ଗ୍ରାମର ତିନିଜଣ ବ୍ୟକ୍ତି ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଭୀଷଣ ପବନ ଓ ବର୍ଷା ଯୋଗୁ ଦେଶୀ ଡଙ୍ଗାଟି ଓଲଟି ଯିବାରୁ ଡଙ୍ଗାରେ ଥିବା ହରି ସଗରିଆ, କୈଳାଶ ନାୟକ ଓ କୃପା ବେନିଆ ପାଣି ମଧ୍ୟକୁ ଖସି ପଡ଼ିଥିଲେ । ତେବେ ଏମାନଙ୍କ ମଧ୍ୟରୁ ହରି ଓ କୈଳାସ ଦୁଇଜଣ କୌଶଳ କ୍ରମେ ପହଁରି ପହଁରି କୂଳକୁ ପହଞ୍ଚିିଥିବା ବେଳେ କୃପା ନିଖୋଜ ଥିବା ଜଣାପଡିଛିା ଏ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ଖବର ନ ଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ କୃପାକୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ସଂଧ୍ୟା ହୋଇଯିବା ହେତୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳେ କୋରୁକୋଣ୍ଡା ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି । ପୂର୍ବରୁ ମଧ୍ୟ ଏହି ଜଳ ଭଣ୍ଡାରରେ ଏପରି ଦେଶୀ ଡଙ୍ଗା ବୁଡି ଅନେକଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ପୁଣି ଏପରି ଅଘଟଣ ଘଟିଥିବର କହିଛନ୍ତି ଗ୍ରାମବାସୀ ।