ଅର୍ଦ୍ଧେନ୍ଦୁଙ୍କ ଗିରଫ ଘଟଣା ନିରପେକ୍ଷ ତଦନ୍ତ ଦାବିକଲା ଦାରିଙ୍ଗବାଡ଼ି ପ୍ରେସ୍‌ କ୍ଲବ

ଦାରିଙ୍ଗବାଡ଼ି,୪ା୭(ଡି.ଏନ୍‌.ଏ.)- ଏକ ଗଣମାଧ୍ୟମର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିବାର ପ୍ରତିବାଦ ଏବଂ ଉକ୍ତ ମାମଲାର ନିରପେକ୍ଷ ତଦନ୍ତ ଦାବିକରି ସୋମବାର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପ୍ରେସ୍‌ କ୍ଲବର କର୍ମକର୍ତ୍ତା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟର ଜଣେ ବରିଷ୍ଠ ଖବରଦାତା ଏବଂ ସମ୍ପାଦକ ରହିଥିବା ବଡ଼ ଖବରର ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶମୂଳକ ଭାବେ ଯେଉଁଭଳି ରାତିଅଧିଆ ଗିରଫକରି ତାଙ୍କୁ ଦୁର୍ବ୍ୟବହାର କରାଯାଇଛି ତାହା ଅତି ନିନ୍ଦନୀୟ ଘଟଣା ବୋଲି ପ୍ରେସ୍‌ କ୍ଳବ୍‌ ଉଲ୍ଲେଖ କରିଛି। ତେଣୁ ଦାସଙ୍କ ବିରୋଧରେ ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବା ସହ ଆଶୁ ପଦକ୍ଷେପ ନେବାକୁ ଦାରିଙ୍ଗବାଡ଼ି ପ୍ରେସ୍‌ କ୍ଲବ ଉକ୍ତ ଚିଠିରେ ରାଜ୍ୟପାଳଙ୍କୁ ନିବେଦନ କରିଛି। ପ୍ରେସ୍‌କ୍ଲବର ସଭାପତି ପ୍ରେମଚାନ୍ଦ ସିଂଙ୍କ ସମେତ ଲକ୍ଷ୍ମୀକାନ୍ତ ରାଜଗୁରୁ, ରାଜୀବ ମୁଠାମାଝି, ମାଧବ ପାଇକ, ବରୁଣ ସିଂ, ମନୋରଞ୍ଜନ ରଣା, ଅଶୋକ ସିଂ, ଅଭୟ ସିଂ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।