କାଠଯୋଡ଼ି ବ୍ରିଜ୍‌ ମରାମତି ପାଇଁ ଯାତାୟାତରେ କଟକଣା

କଟକ ଅଫିସ, ୧ା୭:କଟକ କାଠଯୋଡ଼ି ମଝି ବ୍ରିଜ୍‌ର ମରାମତି କାର୍ଯ୍ୟ କରାଯିବ। ଏଥିପାଇଁ ଯାନବାହନ ଚଳାଚଳ ନିମନ୍ତେ କଟକଣା ଲାଗୁ କରାଯାଇଛି। ଏହା ଜୁଲାଇ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ୧ ମାସ ମଧ୍ୟରେ ଜାତୀୟ ରାଜପଥ-୧୬ରେ ଭୁବନେଶ୍ୱର ପଟୁ କଟକ ଆଡକୁ ଯିବା ନିମନ୍ତେ ଯାନବାହନଗୁଡ଼ିକ କାଠଯୋଡି ମଝି ବ୍ରିଜ୍‌ରେ ନ ଯାଇ ଗୋପାଳପୁର ତାରିଣୀ
ମନ୍ଦିର ଛକଠାରୁ ବାମ ପାର୍ଶ୍ୱସ୍ଥ ବ୍ରିଜ୍‌ରେ ଯିବେ। ସେହିପରି ଉରାଳି ଏବଂ କାଜିପାଟଣା ପଟୁ କଟକ ଆଡକୁ ଯିବା ନିମନ୍ତେ ସମସ୍ତ ଯାନବାହନ ବାମ ପାର୍ଶ୍ୱରେ ଥିବା ବ୍ରିଜ୍‌ରେ ଯିବାକୁ ହେବ। କାଠଯୋଡ଼ି ବାମ ପାର୍ଶ୍ୱରେ ଥିବା ବ୍ରିଜଠାରୁ ହାଇକୋର୍ଟ ଛକ ଏବଂ କଟକ ସହର ଭିତରକୁ ଯିବା ଲାଗି ଯାନବାହନଗୁଡ଼ିକ ମଣି ମନ୍ଦିର ନିକଟରୁ ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ। ଏନେଇ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିବତିରେ ଗୁରୁବାର ସୂଚନା ଦିଆଯାଇଛି।