କଟକଣା ଭଙ୍ଗକାରୀଙ୍କ ପ୍ରତି କଠୋର

ଢେଙ୍କାନାଳ ଅଫିସ, ୭।୧୨-କଟକଣା ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ଯାଏ କୌଣସି ପରିସ୍ଥିତିରେ କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ ବୋଲି ଜିଲାପାଳ ସ୍ପଷ୍ଟ କରିବା ପରେ ଏହାକୁ ଗୁରୁତ୍ୱର ସହିତ ନେଇଛନ୍ତି ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ପ୍ରଶାସନ। କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷିତ କୁଞ୍ଜକାନ୍ତ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ରବିବାର ରାତିରେ ଏକ ବରଯାତ୍ରୀ ଡିଜେ ଜବତ କରାଯାଇଥିବାବେଳେ ରାତିଅଧିଆ ପାଠପଢ଼ା ଜାରି ରଖିଥିବା ବିଟ୍‌ ଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।
କୁଞ୍ଜକାନ୍ତସ୍ଥିତ ସାଇକୃପା ଆବାସିକ ବିଦ୍ୟାଳୟ ହଷ୍ଟେଲର ୫୬ ଛାତ୍ରୀଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ପ୍ରଶାସନ ପକ୍ଷରୁ ଜୋର୍‌ ଦିଆଯାଉଛି। ଉକ୍ତ ଅଞ୍ଚଳକୁ ୧୦ ତାରିଖ ଯାଏ ଜିଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେହିପରି ରାତି ୧୦ରୁ ସକାଳ ୫ ଯାଏ ରାତ୍ରିକାଳୀନ କର୍ଫୁ ଜାରି କରାଯାଇଛି। ଏହା ସତ୍ତ୍ୱେ ବିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ବିଳମ୍ବିତ ରାତି ଯାଏ ପାଠପଢା ଚାଲିଥିବା ସୂଚନା ପାଇ ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲା। ଶିକ୍ଷାଦାନ ଚାଲିଥିବା ପ୍ରକୋଷ୍ଠରେ ସାମାଜିକ ଦୂରତା ରକ୍ଷା କରାଯାଇ ନ ଥିଲା। ଏହି ଘଟଣାରେ ସୋମବାର ପୌରସଂସ୍ଥା ପକ୍ଷରୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୩ଦିନ ମଧ୍ୟରେ ଏହା ଉପରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଖିଲାପ ହେଲେ କୋଭିଡ୍‌ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ନୋଟିସ୍‌ ମାଧ୍ୟମରେ ଜଣାଇଛନ୍ତି। ସେହିପରି ଢେଙ୍କାନାଳ ସହରରେ ରବିବାର ରାତି ପ୍ରାୟ ୧୦ଟାରେ କୋଭିଡ୍‌ ନିୟମ ଭାଙ୍ଗି ବାହାଘର ଶୋଭାଯାତ୍ରା ଆୟୋଜନ ହୋଇଥିଲା। ଶୋଭାଯାତ୍ରାରେ ଉଚ୍ଚଶବ୍ଦ ସୃଷ୍ଟିକାରୀ ଡିଜେ ବଜାଯାଉଥିଲା। ଏହି ଘଟଣାରେ ବାହାଘର ଆୟୋଜନକାରୀ ମାଣ୍ଡବାସାହି ଅଞ୍ଚଳର ଲିଟୁନ କୁମାର ସାହୁଙ୍କ ନାମରେ ଟାଉନ ଥାନାରେ ନଂ. ୫୨୨/୨୧ରେ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି।
ଅପରପକ୍ଷେ ଜିଲାପାଳ ସରୋଜ କୁମାର ସେଠୀଙ୍କ ନେତୃତ୍ୱରେ ଗଣେଶ ବଜାର, ମହାବୀର ବଜାର, ଦକ୍ଷିଣକାଳୀ ରୋଡ୍‌, କେତେକ ମଲ୍‌, ବ୍ୟବସାୟିକ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିଲା। କଟକଣା ଉଲ୍ଲଂଘନ କରାଯାଇଥିବା ସ୍ଥାନରୁ ଜରିମାନା ଆଦାୟ କରାଯାଇଛି। ଜିଲାପାଳ ମାସ୍କ ବଣ୍ଟନ କରି ସଚେତନତା ସୃଷ୍ଟି କରିଥିଲେ। ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।