କାଳବୈଶାଖୀ ପ୍ରଭାବରେ ଉଜୁଡ଼ିଲା ଧାନଫସଲ: ଜିଲାପାଳଙ୍କ ନିକଟରେ ଚାଷୀ ଫେରାଦ

ବରଗଡ଼ ଅଫିସ,୨୪ା୪: କାଳବୈଶାଖୀର ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। ଗତ ୨୨ ତାରିଖ ସନ୍ଧ୍ୟାରେ ହୋଇଥିବା କୁଆପଥର ବର୍ଷା ଯୋଗୁ ଜିଲାର ବରଗଡ଼ ଅତାବିରା, ବରପାଲି, ବିଜେପୁର ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ ଧାନଫସଲ ଉଜୁଡି ଯାଇଛି। ଅମଳକ୍ଷମ ଅବସ୍ଥାରେ ଥିବାବେଳେ ଧାନଫସଲ ଏଭଳି ନଷ୍ଟ ହେବାରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କୃଷି ବିଭାଗ କ୍ଷୟକ୍ଷତି ଆକଳନ କରୁଛି। ମାତ୍ର ଏଯାଏ ଆକଳନ ସରି ନାହିଁ।

ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ସୋମବାର ବରଗଡ଼ ବ୍ଲକ ବନ୍ଦା, ନୁନିଆଁ ଜାମପାଲି, ବିଜେପୁର ବ୍ଲକ ତାଳପଦର ଆଦି ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀମାନେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତରେ ସହକାରୀ ଜିଲାପାଳ ନିରୁପମା ବୁଡେକ ଏବଂ ମୁଖ୍ୟ ଜିଲା କୃଷି ଅଧିକାରୀ ଅଶୋକ କୁମାର ଅମାତଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି। କ୍ଷତିପୂରଣ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ କ୍ଷୟକ୍ଷତି ଆକଳନ ଚାଲିଛି ଏବଂ ଆକଳନ ସରିଲେ କ୍ଷୟକ୍ଷତି ରିପୋର୍ଟ ସରକାରଙ୍କ ପାଖକୁ ପଠାଇ ଦିଆଯିବ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି।