୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/କଟକ ଅଫିସ୍‌, ୫।୪: କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମଙ୍ଗଳବାର ତଦନ୍ତର ଚତୁର୍ଥ ଦିନରେ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ପ୍ରମୁଖ ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ବଲାଙ୍ଗୀର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। କ୍ରାଇମ୍‌ବ୍ରାଞ୍ଚର ଏହି ଆବେଦନକୁ ଗ୍ରହଣ କରି ଏସ୍‌ଡିଜେଏମ୍‌ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଏହି ରିମାଣ୍ଡ ଅବଧି ବୁଧବାରଠାରୁ ଆରମ୍ଭ ହେବ।
ଅଭିଯୁକ୍ତ ମନୋଜ ଏବଂ ଆଲୋକ କେବେଠାରୁ ଏବଂ କିଭଳି ଏହି ଜାଲ୍‌ ସାର୍ଟିଫିକେଟ କାରବାର କରୁଥିଲେ, କାରବାରରେ କେଉଁମାନେ ସମ୍ପୃକ୍ତ ସେଦିଗରେ ସବିଶେଷ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏହାବାଦ୍‌ ବଲାଙ୍ଗୀର ଡାକବିଭାଗ ପଦବୀ ଅକ୍ତିଆର କରିବା ପାଇଁ ଜାଲ୍‌ ସାର୍ଟିଫିକେଟ୍‌ ବ୍ୟବହାର କରି ପୋଲିସ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ବଲାଙ୍ଗୀର ସହର ରୁଗୁଡିପଡାର ତ୍ରିବିହାରୀ ପଣ୍ଡା ଏବଂ ବେଲପଡା ଥାନା ଜଲିଆ ଗ୍ରାମର ପରେଶ ବୁଡେକଙ୍କୁ କେଉଁଠାରୁ, କାହା ଜରିଆରେ ଏବଂ କେତେଟଙ୍କା ଦେଇ ଜାଲ୍‌ ସାର୍ଟିଫିକେଟ ନେଇଥିଲେ ସେ ଉପରେ ମଧ୍ୟ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍‌। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ହାତୀଶାଳପଡା ଫରେଷ୍ଟ କଲୋନୀ ନିକଟ ଘର ଏବଂ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସିଭିଲ କୋର୍ଟ ପଛପଟ ଘରେ ଚଢ଼ାଉ କରାଯାଇଥିଲା। ଜାଲ୍‌ ସାର୍ଟିଫିକେଟ ମାମଲାରେ ହୋଇଥିବା ଟଙ୍କା କାରବାର ଏବଂ ଠକାମି ବିଷୟରେ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯାଇଥିଲା। ଏହା ସହିତ ମନୋଜ ଏବଂ ଆଲୋକଙ୍କ ଘନିଷ୍ଠ ସମ୍ପର୍କୀୟଙ୍କୁ ମଧ୍ୟ ଅଧିକ ପଚରାଉଚରା କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଡକାଯାଇଥିବା ସୂଚନା ଦିଆଯାଇଛି।