ଦିନିକିଆରେ ଇତିହାସ ରଚିଲା କ୍ରିକେଟ୍‌ର ଶିଶୁ: ସମସ୍ତଙ୍କ ଚକିତ କଲା ପ୍ରଦର୍ଶନ

ନୂଆଦିଲ୍ଲୀ,୨।୧୧:ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନାମ୍ବିଆର ଐତିହାସିକ ସଫଳତା। ଆୟରଲାଣ୍ଡକୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ୩-୨ରେ ପରାସ୍ତ କରି ଇତିହାସ ରଚିଛି ନାମ୍ବିଆ। ନଭେମ୍ବର ୧ରେ ଖେଳାଯାଇଥିବା ସିରିଜ୍‌ର ଶେଷ ମ୍ୟାଚରେ ବିଜୟ ସହ ନାମ୍ବିଆ ଏହି ଐତିହାସିକ ଉପଲବ୍ଧି ହାସଲ କରିଛି। ଏହା ଦିନିକିଆ କ୍ରିକେଟ୍‌ରେ କୌଣସି ଟେଷ୍ଟ ଖେଳୁଥିବା ଦେଶ ବିପକ୍ଷରେ ନାମ୍ବିଆର ପ୍ରଥମ ଦ୍ୱିପାକ୍ଷିକ ସିରିଜ ବିଜୟ। ଏହି ସଫଳତାରେ ଦଳର ଅଧିନାୟକ ଗେରହାର୍ଡ ଏରାସମସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ୫ଟି ମ୍ୟାଚ୍‌ରେ ମୋଟ ୨୬୩ ରନ କରି ଦଳକୁ ସିରିଜ ବିଜୟୀ କରାଇଥିଲେ।

ଦଳର ସଫଳତା ପଛରେ ଅଧିନାୟକଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଏହି ସିରିଜ୍‌ରେ ପ୍ରମାଣିତ ହୋଇଛି। ଗେରହାର୍ଡ ଏରାସମସ କେବଳ ଅଧିନାୟକତ୍ୱରେ ନୁହେଁ, ବରଂ ବ୍ୟାଟିଂରେ ମଧ୍ୟ ଆଗୁଆ ରହି ଦଳକୁ ବିଜୟ ଦିଗରେ ନେଇଥିଲେ। ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ବା ପ୍ଲେୟର ଅଫ ଦି ସିରିଜ ପୁରସ୍କାର ମିଳିଥିଲା।

ସିରିଜ୍‌ର ଶେଷ ମ୍ୟାଚ୍‌ରେ ନାମ୍ବିଆର ବିଜୟ ସହ ସିରିଜ୍‌ର ଭାଗ୍ୟ ନିର୍ଦ୍ଧାରିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଆୟରଲାଣ୍ଡ ୫୦ ଓଭରରେ ମାତ୍ର ୧୩୦ ରନ୍‌ର ଲକ୍ଷ୍ୟ ଦେଇଥିଲା। ଜବାବରେ ନାମ୍ବିଆ ମାତ୍ର ୨୧.୨ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା। ଅର୍ଥାତ୍‌ ୧୭୨ଟି ବଲ ବାକି ଥାଇ ଦଳ ମ୍ୟାଚ ଜିତିଥିଲା।

ନାମ୍ବିଆର ଏହି ବିଜୟରେ ବୋଲର ଜେଜେ ସ୍ମିଟଙ୍କ ଯୋଗଦାନ ଉଲ୍ଲେଖନୀୟ ଥିଲା। ସେ ୯ ଓଭର ବୋଲିଂ କରି ମାତ୍ର ୨୦ ରନ ବ୍ୟୟରେ ୪ଟି ଉଇକେଟ ନେଇଥିଲେ। ଅନ୍ୟପଟେ ରନ ଚେଜ ସମୟରେ ଅଧିନାୟକ ଏରାସମସ ୩୦ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଏହି ପ୍ରଦର୍ଶନ ପାଇଁ ଜେଜେ ସ୍ମିଟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।
୫ଟି ଦିନିକିଆ ମ୍ୟାଚ୍‌ରେ ଗେରହାର୍ଡ ଏରାସମସ ମୋଟ ୨୬୩ ରନ ସଂଗ୍ରହ କରିଥିଲେ। ୬୫.୭୫ ହାରରେ ରନ କରି ସେ ଏହି ଦ୍ୱିପାକ୍ଷିକ ସିରିଜ୍‌ର ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଥିଲେ। ସେହିପରି ଜେଜେ ସ୍ମିଟ ୫ଟି ମ୍ୟାଚ୍‌ରେ ମୋଟ ୧୦ଟି ଉଇକେଟ ନେଇଥିଲେ। ସିରିଜ୍‌ରେ ସର୍ବାଧିକ ୧୧ଟି ଉଇକେଟ ନେଇଥିଲେ ଆୟରଲାଣ୍ଡର ଜ୍ୟାକ ବ୍ରେସୱେଲ। ଏହି ଐତିହାସିକ ସିରିଜ ବିଜୟ ସହ ନାମ୍ବିଆ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ନିଜର ଶକ୍ତି ପ୍ରମାଣିତ କରିଛି।

 

Dharitri – Odisha’s No.1 Odia Daily

 

 

Share