ଐଶ୍ୱର୍ଯ୍ୟାଙ୍କ ନାମ ନେଇ ଅଡୁଆରେ ପଡ଼ିଲେ ଏହି କ୍ରିକେଟର, ଶେଷରେ ମାଗିଲେ କ୍ଷମା

ମୁମ୍ବାଇ: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ନୀଳନୟନା ତଥା ବଲିଉଡ୍‌ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ନାଁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ବିବାଦ ଘେରକୁ ଆସିଥିଲେ।
ପରେ ରଜାକ ୨୭ ସେକେଣ୍ଡର ଭିଡିଓ ଜାରି କରି ଐଶ୍ୱର୍ଯ୍ୟାଙ୍କୁ କ୍ଷମା ମାଗିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୋ ପାଟିରୁ ସ୍ଲିପ୍‌ କରିଗଲା। କହୁକହୁ କହିଦେଲି। କାହାକୁ କଷ୍ଟ ଦେବା କିମ୍ବା ଅପମାନିତ କରିବା ମୋର ଉଦ୍ଦେଶ୍ୟ ନୁହେଁ। ଦୟାକରି ମୋତେ କ୍ଷମା କରିଦେବେ।

ସୂଚନାଯୋଗ୍ୟ, ନିକଟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅବଦୁଲ ରଜାକଙ୍କ ସହ ସାହିଦ ଆଫ୍ରିଦି ଏବଂ ଉମର ଗୁଲ୍‌ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ରଜାକ କହିଥିଲେ, ‘ଏଠାରେ, ମୁଁ ପାକିସ୍ତାନ କ୍ରିକେଟ ବୋର୍ଡର ଉଦ୍ଦେଶ୍ୟ ବିଷୟରେ କହୁଛି। ଯେତେବେଳେ ମୁଁ ଖେଳୁଥିଲି, ମୋତେ ମୋର ଅଧିନାୟକ ୟୁନିସ୍‌ ଖାନଙ୍କ ଭଲ ଉଦ୍ଦେଶ୍ୟ ବିଷୟରେ ଜଣାଥିଲା। ଏହା ମୋର ଶକ୍ତି ଏବଂ ଆତ୍ମବିଶ୍ୱାସ ବଢ଼ାଇଥିଲା। ଆଲ୍ଲାଙ୍କ ଆର୍ଶୀବାଦରୁ ମୁଁ ପାକିସ୍ତାନ କ୍ରିକେଟ ପାଇଁ ଭଲ ପ୍ରଦର୍ଶନ କରିପାରିଥିଲି। ମୋ ମତରେ ଯଦି ଆପଣମାନଙ୍କ ଭାବନା ରହିଛି କି ଐଶ୍ବର୍ଯ୍ୟା ରାୟଙ୍କୁ ବିବାହ କରିବେ ଏବଂ ତା’ପରେ ଏକ ଭଲ ସନ୍ତାନ ଜନ୍ମ କରିବେ, ତେବେ ଏହା କେବେ ହୋଇପାରିବ ନାହିଁ। ତେଣୁ ଆପଣଙ୍କୁ ପ୍ରଥମେ ଆପଣଙ୍କ ଉଦ୍ଦେଶ୍ୟ କ’ଣ ତାହା ସ୍ଥିର କରିବାକୁ ହେବ। ଏହି ମନ୍ତବ୍ୟ ସେ ବିବାଦ ଘେରକୁ ଆସିଥିଲେ।

Share